ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ଭଣ୍ଡରଙ୍ଗୀ ଓ ଲଙ୍କାଗଡ଼ ପଞ୍ଚାୟତରେ ସିଆରପିଏଫ ଡି/୧୨୭ ବାଟାଲିୟନ ତଥା ଏଫ/୧୨୭ ବଟାଲିୟନ ତରଫରୁ ଏକ ଜନ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡି/୧୨୭ ବାଟାଲିୟନ ଭଣ୍ଡରଙ୍ଗୀ ତଥା ଏଫ/୧୨୭ ବାଟାଲିୟନ ଲଙ୍କାଗଡ଼ରେ ଆଣ୍ଟି ନକ୍ସଲ ଡ୍ୟୁଟି ପାଇଁ ଥାନାଙ୍କ ଅଧୀନରେ ନିୟୋଜିତ ହୋଇଛି । ଉକ୍ତ ୨ ପଞ୍ଚାୟତର ଅଭାବୀ ଏବଂ ଗରିବ ପରିବାରରଙ୍କୁ ସିଆରପିଏଫ ୧୨୭ ବାଟାଲିୟନର ଦ୍ୱିତୀୟ କମାଣ୍ଡ ଅଧିକାରୀ ମଉଲି ମୋହନ କୁମାର ଉପସ୍ଥିତ ରହି ସୋଲାର ଲ୍ୟାମ୍ପ ଏବଂ ୱାଟର ଫିଲଟର ବଣ୍ଟନ କରିଥିଲେ । ପରେ ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ କ୍ଷୁଦ୍ର ଚଳଚ୍ଚିତ୍ର ଜନସାଧାରଣଙ୍କୁ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ୧୨୭ ବାଟାଲିୟନର ସିନିୟର ମେଡିକାଲ ଅଫିସର ଡ଼ା. ରାହୁଲ ମାଲପୋତ୍ରା, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓସି-ଡି/୧୨୭ ବାଟାଲିୟନର ବିଜୟ ପ୍ରକାଶ ଚୋବେ, ଭଣ୍ଡରଙ୍ଗୀ ପଞ୍ଚାୟତ ସରପଞ୍ଚ ଅନନ୍ତ ପାତ୍ର, ଭଣ୍ଡରଙ୍ଗୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳ ଦେଶୀନାୟକ, ଓସି-ଏଫ/୧୨୭ ଇନ୍ସପେକ୍ଟର ବିଶନ ରାମ, ଲଙ୍କାଗଡ଼ ପଞ୍ଚାୟତର ସରପଞ୍ଚ ସସ୍ମିତା ପାତ୍ର, ଲଙ୍କାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ସୌରଭ ମଳିକ, ଲଙ୍କାଗଡ଼ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୂଦନ ପାତ୍ର ତଥା ୨ ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଯୋଜନା ଅଧୀନରେ ସମୁଦାୟ ୪୪ଟି ପରିବାର ଉପକୃତ ହୋଇଥିଲେ । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ୧୨୭ ବାଟାଲିୟନର ଦ୍ୱିତୀୟ କମାଣ୍ଡେଣ୍ଟ ଅଧିକାରୀ ମଉଲି ମୋହନ କୁମାର ସୂଚନା ଦେଇଛନ୍ତି ।