ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡ଼ିବା ପ୍ରତିବାଦରେ ବିକ୍ଷୋଭ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ପଞ୍ଚାୟତରେ ଆବାସ ଯୋଜନାରେ ୫୭ଜଣ ଯୋଗ୍ୟ ହିତାଧିକାରୀ ସମ୍ଭାବ୍ୟ ତାଲିକାରୁ ବାଦ ପଡ଼ିଛନ୍ତି । ସେଥିପାଇଁ ଅଞ୍ଚଳବାସୀ ଏହାର ତଦନ୍ତ ସହ ପୁନର୍ବିଚାର କରାଯାଇ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ବିକ୍ଷୋଭ କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବୈଠକ କରିବା ସହ ସେଠାରୁ ଏକ ଶୋଭାଯାତ୍ରା ବାହାର କରି ବାମୁଣୀଗାଁ ପଞ୍ଚାୟତ ଅଞ୍ଚଳ ପରିକ୍ରମା କରି ଧାରଣାସ୍ଥଳରେ ପହଞ୍ଚି ଧାରଣା ଦେଇଛନ୍ତି । ଏହି ସମୟରେ ଆବାସ ଯୋଜନାରେ ଅନିୟମିତତା କରାଯାଇଥିବା ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି । ଶୀଘ୍ର ପୁନର୍ବିଚାର କରି ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉ ନହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଜୋରଦାର କରିବାକୁ ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି । ଆନ୍ଦୋଳନରେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକ ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିୟାର ସିଂଙ୍କ ସମେତ ତାଲିକାରୁ ବାଦ୍ ପଡ଼ିଥିବା ହିତାଧିକାରୀମାନେ ସାମିଲ ହୋଇଛନ୍ତି । ଅନ୍ୟପଟେ ତାଲିକାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଶୀଘ୍ର ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ରାଜ୍ୟ ମାନବାଧିକାରର ଜିଲ୍ଲା ଯୁଗ୍ମ ଆବାହକ ବିକ୍ରମ ବାସ୍ତରାୟ ସ୍ଥାନୀୟ ପ୍ରଶାସନକୁ ଅବଗତ କରିଥିବା କହିଛନ୍ତି ।