ସ୍କୁଲ ବ୍ୟାଗରୁ ଗଞ୍ଜେଇ ଜବତ, ୭ ଗିରଫ

ଜୟପୁର,ଏନ୍‌ଏନ୍‌ଏସ୍‌: ମାଛକୁଣ୍ଡ ପୁଲିସ ସ୍କୁଲ ବ୍ୟାଗରୁ ୨୦ କେଜି ଗଞ୍ଜେଇ ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ଅଜିତ ରାମା, ଶୋନୁ ରାମ, ବିହାରର ସନ୍ଦିପ କଇସବ, ସୁମିତ ମିଶ୍ରା, ମାଲେଗାଁ ଗ୍ରାମର ମଙ୍ଗଳା ଖିଲ, ସୁକୁ ଦାର୍ଲି ଓ ଆନ୍ଧ୍ରପ୍ରଦେଶ ମୁଚିମପୁଟ ଅଞ୍ଚଳର ବଲରାମ ମୁକି । ଲମତାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଫାଣ୍ଡି ଅଧିକାରୀ ଚିତ ପ୍ରଧାନୀଙ୍କ ନେତୃତ୍ୱରେ ମଲେଗାଁ ଛକ ନିକଟରେ ପୁଲିସ ଚଢ଼ଉ କରିଥିଲା। ମିଳିଥିବା ରିପୋର୍ଟ ମୁତାବକ, ପେଟ୍ରୋଲିଙ୍ଗ ସମୟରେ ମଲେଗାଁ ଛକରେ ୪ଜଣ ବ୍ୟକ୍ତି ସ୍କୁଲ ବ୍ୟାଗ କାନ୍ଧରେ ପକାଇ ବସକୁ ଅପେକ୍ଷା କରିଥିବାବେଳେ ପୁଲିସ ସନ୍ଦେହ କରି ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ପଲିସ ତରଫରୁ ସୂଚନା ଦିଆଯାଇଛି । ଅଭିଯୁକ୍ତଙ୍କୁ ପଚାରଉଚୁରା ପରେ ସ୍ଥାନୀୟ ଯୁବକଙ୍କଠାରୁ ଗଞ୍ଜେଇ କିଣିଥିବା କହିଥିଲେ । ଅଭିଯୁକ୍ତଙ୍କୁ ନେଇ ପୁଲିସ ତୁରନ୍ତ ସେଠାରେ ପହଞ୍ଚିବା ପରେ ଏଥିରେ ସମ୍ପୃକ୍ତ ଥିବା ସ୍ଥାନୀୟ ଯୁବକ ୩ଜଣଙ୍କୁ ଗିରଫ କରିଛି । ଏନେଇ ଏସଡିପିଓ ସଞ୍ଜୟ ମହାପତ୍ର ସୂଚନା ଦେଇଛନ୍ତି ।