ଟିଟିଲାଗଡ଼/ମୁରିବାହାଲ/ବଙ୍ଗୋମୁଣ୍ଡା,ଏନ୍ଏନ୍ଏସ୍: ଟିଟିଲାଗଡ଼ ଉପଖଣ୍ଡସ୍ତରୀୟ ମା’ ଘଣ୍ଟାସୁନି ଲୋକ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏନେଇ ସକାଳ ୮ଟାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଖାଲି ପାଦରେ ଧୋତି ଗାମୁଛା ପରିଧାନ କରି ଲୋକଉତ୍ସବ କମିଟି କର୍ମକର୍ତ୍ତା ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ବାଳକ ହାଇସ୍କୁଲ ପଡ଼ିଆରୁ ମା’ ଘଣ୍ଟାସୁନି ମନ୍ଦିର ପର୍ଯ୍ୟନ୍ତ ସାଂସ୍କୃତିକ ଦଳ ସହିତ ପଦଯାତ୍ରାରେ ଯାଇଥିଲେ । ସେଠାରେ ମା’ଙ୍କ ପୂଜାର୍ଚ୍ଚନା ସହ ଦୀପ, ଜୁଗାର, ଆଜ୍ଞାମାଳ ଧରି ମଞ୍ଚକୁ ଆଣି ଅବସ୍ଥାପିତ କରିଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ସାଂସଦ ସଙ୍ଗିତା ସିଂଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ ପ୍ରମୁଖ ସମ୍ମାନୀତ ଅତିଥିଭାବରେ ମଞ୍ଚାସିନ ଥିଲେ । ସେହିପରି ଉପଜିଲ୍ଲାପାଳ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଉଦଯାପନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି, ରସରାଜ ଅଚ୍ୟୁତ ପୁରୋହିତ ମୁଖ୍ୟବକ୍ତା, ଜିଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ମମତା ଜୈନ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ, ଗିତା ବିଶି, ଟିକି ପୌଢ଼, ପ୍ରମୋଦ ଭୋଇ ଓ ସଞ୍ଜୟ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ । ଉଦଘାଟନୀ ସଭାକୁ ବିଶିଷ୍ଟ ଶିକ୍ଷାବିତ ଉମେଶ ଚନ୍ଦ୍ର ଦାଶ ଏବଂ ଉଦଯାପନୀ ସଭାକୁ ବ୍ୟଙ୍ଗ କବି ଟିକେଲାଲ ବେହେରା ପରିଚାଳନା କରିଥିଲେ ।
ଉପଖଣ୍ଡସ୍ତରୀୟ ଲୋକ ମହୋତ୍ସବରେ ଟିଟିଲାଗଡ଼ ଜିଲ୍ଲା ଦାବି ହାୱା ପ୍ରବଳ ରହିଥିବା ଦେଖାଯାଇଥିଲା । ୨୦୧୪ ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ଦୀର୍ଘ ୩ ଦଶନ୍ଧି ଧରି ଜାରି ରହିଥିବା ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ଦାବି ନିଶ୍ଚିତ ସାକାର ହେବ ବୋଲି ଅଞ୍ଚଳବାସୀ ଆଶା ରଖିଥିଲେ । ହେଲେ ଏହି ଦାବି ଅଦ୍ୟାବଧି ପୂରଣ ହୋଇନଥିବାବେଳେ ଉପଖଣ୍ଡସ୍ତରରେ ଆଜି ମହାସମାବେଶ ନେଇ ମଞ୍ଚାସୀନ ନେତାଗଣ ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଥିଲା । ଉତ୍ସବର ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ସାଂସଦ ସଙ୍ଗିତା ସିଂଦେଓ ମଞ୍ଚରେ ଜିଲ୍ଲା ପ୍ରସଙ୍ଗରେ ମୌନ ରହିଥିଲେ ହେଁ ଗଣମାଧ୍ୟମରେ ଏନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ । ଅନ୍ୟପଟେ ଉଦଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମଞ୍ଚରୁ ଏକଦା ଟିଟିଲାଗଡ଼ ଜିଲ୍ଲା ଦାବି ନେଇ ସେ ରାସ୍ତାକୁ ଓହ୍ଲାଇଥିବା ଭାବବିହ୍ୱଳ ହୋଇ କହିଥିଲେ ।