ପ୍ରଦୂଷଣ ରୋକିବା ଓ କ୍ଷତିପୂରଣ ଦାବୀରେ ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ଜିଲ୍ଲା ପରିଷଦ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ବ୍ଲକର ବଢ଼ାପାଳ ଓ ପରା ଅଞ୍ଚଳରେ ପ୍ରଦୂଷଣ ରୋକିବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ସାହୁ ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଲିଖିତ ଭାବେ ଦାବୀ କରିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଦେବଗଡ଼ ଜିଲ୍ଲା ସୀମାରେ ଥିବା ଜରାଛଟ, କଙ୍କଡ଼ାଝରଣ କଣିହାଁ ଏନଟିପିସିର ପାଉଁଶ ପୋଖରୀ ଏବଂ ଡେରେଙ୍ଗ୍ ଗ୍ରାମରେ ଥିବା ଜିନ୍ଦଲ ପ୍ଲାଣ୍ଟ ମଧ୍ୟରେ ଦୂରତା ପ୍ରାୟ ୩ କି.ମି. । ବର୍ଷା ଦିନଗୁଡ଼ିକୁ ଛାଡ଼ି ଦେଲେ ବର୍ଷର ଅନ୍ୟ ସମୟରେ ପବନ ଦ୍ୱାରା କଣିହାଁ ଏନଟିପିସି ପାଉଁଶ ପୋଖରୀରୁ ବହୁଳ ଭାବେ ପାଉଁଶ ଉଡ଼ି ଆସି ଦେବଗଡ଼ ଜିଲ୍ଲାର ପରା, ବୁଢ଼ାପାଳ ଗ୍ରାମପଞ୍ଚାୟତର ଜମି ଓ ଫସଲ ଉପରେ ପଡ଼ିବା ଫଳରେ ଚାଷ ଜମି ନଷ୍ଟ ହେବା ସାଙ୍ଗକୁ ଫସଲ ମଧ୍ୟ ନଷ୍ଟ ହେଉଛି । ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଦେବଗଡ଼ ଜିଲ୍ଲା ବଢ଼ାପାଳ ଗ୍ରାମ ମଧ୍ୟ ଦେଇ ପ୍ରତିଦିନ ସହସ୍ରାଧିକ ସଂଖ୍ୟାରେ କୋଇଲା ବୋଝେଇ ଭାରୀଯାନ ଯାତାୟତ କରିବା ଫଳରେ ଗାଡ଼ି ଗୁଡ଼ିକରୁ କୋଇଲା ଗୁଣ୍ଡ ଉଡ଼ି ରାସ୍ତାଘାଟ, ଘରଦ୍ୱାରା, ଦୋକାନ ବଜାର ଓ ସ୍କୁଲ ପ୍ରଭୃତି କୋଇଲା ଗୁଣ୍ଡରେ ଆଚ୍ଛାଦିତ ହୋଇଗଲାଣି । ସେଥିପାଇଁ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବୀ ହୋଇଛି ।