ନିଜ ଗାଡ଼ିରେ ନିଆଁ ଲଗାଇବା ପରେ ଯୁବକଙ୍କ ଆତ୍ମହତ୍ୟା

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମପଞ୍ଚାୟତର ଦେରିନାଯୁରେ ଜଣେ ଯୁବକ ନିଜ ଡାଲା ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ପରେ ଏକ ବରଗଛରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ହେଲେ ବିସର୍ବା ପ୍ରଧାନ (୨୮) । ମିଳିଥିବା ରିପୋର୍ଟ ମୁତାବକ, ଯୁବକ ଜଣକ ୮ ମାସ ପୂର୍ବେ ଟିକାବାଲି ବ୍ଲକ ଗାରେଡି଼ଙ୍ଗିଆ ଟୁଡୁବାଲିରେ ବିବାହ କରିଥିଲେ । କୌଣସି କାରଣବଶତଃ ତାଙ୍କ ପତ୍ନୀ ନିଜ ବାପଘରକୁ ଯାଇ ଆଉ ଫେରିନଥିଲେ । ବାରମ୍ବାର ନିଜ ପତ୍ନୀକୁ ଘରକୁ ଡାକିବା ସତ୍ୱେ ମଧ୍ୟ ସେ ନଫେରିବାରୁ ଯୁବକ ଜଣକ ପ୍ରାୟତଃ ମାନସିକ ଚାପରେ ରହୁଥିବା ଗ୍ରାମବାସୀ କହିଛନ୍ତି । ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ଜି.ଉଦୟଗିରି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ହୁତୁହୁତୁ ହୋଇ ଜଳୁଥିବା ଡାଲା ଗାଡ଼ିକୁ ନିଆଁ ଦାଉରୁ ଆୟତ୍ତ କରିଛି । ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଆତ୍ମହତ୍ୟା କିଭଳି ପରିସ୍ଥିତିରେ ଏବଂ କାହିଁକି ଘଟିଲା ଛାନଭିନ ଆରମ୍ଭ କରିଥିବା ଜଣାପଡ଼ିଛି ।