ବରଗଡ଼,ଏନ୍ଏନ୍ଏସ୍: ଅଧର୍ମ ଆଗରେ ଧର୍ମର ଜୟ, ଅସତ୍ୟ ଆଗରେ ସତ୍ୟର ବିଜୟ ଏପରି ଏକ ବାର୍ତ୍ତା ସହ ବରଗଡ଼ ବିରାଟ ଧନୁଯାତ୍ରା ମହୋତ୍ସବ ଶେଷ ହୋଇଛି । ଦୀର୍ଘ ୧୧ଦିନ ଧରି ପୁରାଣ ଯୁଗକୁ ଫେରିଯାଇ ମଥୁରା ନଗରୀ ପାଲଟିଥିବା ବରଗଡ଼ରେ ମହାରାଜା କଂସଙ୍କ ଶାସନ ଚାଲିଥିଲା । କଂସଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ସହ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଇତସ୍ତତ ହୋଇ ପଡ଼ିଥିଲା । ଆଜି ମାମୁଁ କଂସଙ୍କ ନିମନ୍ତ୍ରଣ ପାଇ ଭଣଜା କୃଷ୍ଣ ଓ ବଳରାମ ଧନୁଯାତ୍ରା ଦେଖିବାକୁ ଆସିଥିଲେ । କୃଷ୍ଣ ଓ ବଳରାମ ମଞ୍ଚରେ ପହଞ୍ଚିବା ପରେ ମାମୁଁ କଂସ ରାଜସିଂହାସନରେ ଥାଇ ତାଙ୍କୁ ଦେଖି ମଞ୍ଚ ଉପରୁ ପଡ଼ି ପ୍ରାଣ ହାରି ଦେଇଥିଲେ । ଆଜି ପ୍ରଥମେ ମହାରାଜା କଂସ ପ୍ରତିଦିନ ପରି ନଗର ପରିକ୍ରମାରେ ବାହାରି ଥିଲେ । ନଗରୀ ପରିକ୍ରମା ସମୟରେ ମଥୁରା ନଗରୀର ବନ ବିଭାଗ ଅଧିକାରୀଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ମହାରାଜା କଂସ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେସମ୍ପର୍କରେ ପଚାରିବା ସହ ବନଖଣ୍ଡ ଅଧିକାରୀଙ୍କ ଉତ୍ତରରେ କ୍ଷୋଭ ପ୍ରକାଶ କରି ତାଗିତ କରିଥିଲେ । ସେହିପରି ମଥୁରା ନଗରୀରେ ଦିନକୁଦିନ ଜଙ୍ଗଲ ନଷ୍ଟ ହେବା ସହିତ ଚନ୍ଦନ ବୃକ୍ଷ ପରି ଦୁର୍ଲ୍ଲଭ ବୃକ୍ଷ କାଟି ଯଜ୍ଞ କରୁଥିବାରୁ ମହାରାଜା ଏଥିରେ କ୍ରୋଧ ଜର୍ଜରିତ ହୋଇ ଉଠିଥିଲେ ଏବଂ ରାଜ ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିଲେ । ସେଠାରୁ କଂସ ମହାରାଜ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ପରିସରରେ ବୟନିକା ତରଫରୁ ଚାଲିଥିବା ହସ୍ତତନ୍ତ ଓ ବୟନ ଶିଳ୍ପ ପ୍ରଦର୍ଶନୀକୁ ପହଞ୍ଚି ଥିଲେ । ସେଠାରୁ ମହାରାଣୀଙ୍କ ପାଇଁ ପାଟ ବସ୍ତ୍ର ଆଣିବା ସହ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଅନ୍ୟପଟେ ଗୋପରୁ ମଥୁରାକୁ ଗୋପାଳ ପୁଅଙ୍କୁ ସାଥିରେ ଧରି ଧନୁଯାତ୍ରା ଦେଖିବାକୁ ଆସିଥିବା ଭଗବାନ କୃଷ୍ଣ ଓ ବଳରାମଙ୍କୁ ସମଗ୍ର ମଥୁରାବାସୀ ପୂଜାର୍ଚ୍ଚନା କରିବା ସହ ପାଦ ଧୋଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବେନି ଭାଇ ଉତ୍ସାହ ଉଦ୍ଦୀପନା ସହ ମଥୁରା ଭ୍ରମଣ କରିଛନ୍ତି । ଗୋବିନ୍ଦପାଲିସ୍ଥିତ ବିବେକାନନ୍ଦ ଛକରେ ସେମାନଙ୍କ ସ୍ୱାଗତ ପାଇଁ ସ୍ୱାଗତ ଉତ୍ସବ କରାଯାଇଥିଲା । ବେନି ଭାଇ ହାଟପଦାରେ ଥିବା ମଞ୍ଚ କୁ ପହଂଚି ଶିବଧନୁ ଭଙ୍ଗ କରିଥିଲେ । ପରେ ନିଶାମଣୀ ପଡ଼ିଆରେ ଥିବା ରାଜଦରବାର ପରିସରକୁ ପହଞ୍ଚିଥିଲେ । କୁଟିଳ ଷଡ଼ଯନ୍ତ୍ର କରି କୃଷ୍ଣ ଓ ବଳରାମକୁ ହତ୍ୟା କରିବା ପାଇଁ କଂସ ଗୋଟିଏ ଦ୍ୱାରରେ କୁବଲୟା ହସ୍ତୀକୁ ନିୟୋଜିତ କରିଥିଲେ । ସେଠାରେ ବେନିଭାଇ କୁବଲୟା ହାତୀକୁ ବଧ କରିଥିଲେ ।
ସେହିପରି ଅନ୍ୟ ଏକ ଦ୍ୱାରରେ ଅଷ୍ଟମଲ୍ଲଙ୍କୁ ନିୟୋଜିତ କରିଥିଲେ । ଗୋଟି ଗୋଟି କରି ସଭିଙ୍କୁ ମାରିବା ପରେ କୃଷ୍ଣ ଓ ବଳରାମ ମହାରାଜା କଂସଙ୍କ ନିକଟକୁ ଅଗ୍ରସର ହୋଇଥିଲେ । ସବୁବେଳେ କୃଷ୍ଣ ଓ ବଳରାମଙ୍କୁ କ୍ରୋଧ ଓ ଶତ୍ରୁ ଭାବେ ଆଚରଣ କରୁଥିବା ମାମୁଁ କଂସ ଭଣଜାଙ୍କୁ ଏତେ ନିକଟରୁ ଦେଖି ନିସ୍ତେଜ ହୋଇଯିବା ସହ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ । ଶେଷରେ ମଞ୍ଚ ଉପରୁ ପଡ଼ି ପ୍ରାଣତ୍ୟାଗ କରିଥିଲେ । କଂସ ବଧ ହେବା ପରେ ସମଗ୍ର ମଥୁରା ନଗରୀରେ ଉତ୍ସାହ ଖେଳିଯିବା ସହ “କଂସ ରାଜାର ବଂଶ ବୁଡୁ, କଂସ ମଲା ଖାଏମା ଲଡୁ’ ଧ୍ୱନିରେ ସମଗ୍ର ମଥୁରା ପ୍ରକମ୍ପିତ ହୋଇ ଉଠିଥିଲା । ଗୋପାଳ ବାଳକଙ୍କ ନୃତ୍ୟରେ ମଥୁରାବାସୀ ନାଚି ଉଠିଥିଲେ । ହରିବୋଲ, ହୁଳହୁଳିରେ ସମଗ୍ର ପରିବେଶ ପୁରି ଉଠିଥିଲା । ପରେ ପୁରାତନ ମହାରାଜା ଉଗ୍ରସେନ ଯିଏକି ରାତ୍ରୀ ଜଗୁଆଳି ସାଜି ମଥୁରାରେ ପ୍ରହରା ଦେଉଥିଲେ ତାଙ୍କୁ ଆଣି କୃଷ୍ଣ ଓ ବଳରାମ ମଥୁରାର ରାଜସିଂହାରେ ଅଭିଷେକ କରାଇଥିଲେ । ସେଠାରୁ ବେନିଭାଇ ମଥୁରାର କାରାଗୃହକୁ ଯାଇ ମାତା ଦେବକୀ ଓ ପିତା ବାସୁଦେବଙ୍କୁ ମୁକ୍ତ କରିଥିଲେ । ସେହିପରି ଆଜିର ସମାପନ ସମାରୋହକୁ ଆବାହକ ସୁରେଶ୍ୱର ଶତପଥୀ ପରିଚାଳନା କରିଥିବାବେଳେ ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟ, ଧନୁଯାତ୍ରା ସମିତିର ଅଧ୍ୟକ୍ଷ ମନୀଷା ବାନାର୍ଜୀ ଓ ବରଗଡ଼ ଏସପି ସ୍ମିତ ପରମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।