ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡସ୍ଥିତ ଖପ୍ରାଖୋଲ ବ୍ଲକର ମିନି ଷ୍ଟାଡିୟମରେ ଲୋକ ଉତ୍ସବ ବହୁ ଆଡ଼ମ୍ବର ସହ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ଲୋକସଭା ସଦସ୍ୟା ସଂଗୀତା ସିଂଦେଓ ଓ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମିଳିତ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ଏକ ମଶାଲ ଶୋଭାଯାତ୍ରା ବିଡିଓ ରଶ୍ମି ରଞ୍ଜନ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରସିଦ୍ଧ ହରିଶଙ୍କର ପୀଠରୁ ଅଣାଯାଇ ମା’ ଡୁମେର ତଳେନରେ ପୂଜା କରାଯାଇଥିଲା । ପ୍ରଥମେ ୨ ସାଂସଦ ମିଲେଟ ମିଶନର ଷ୍ଟଲ ଏବଂ ପରେ ଆୟୋଜିତ ବ୍ଲକସ୍ତରୀୟ ଲୋକ ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ସିଂଦେଓ ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ଯୁଗରେ ଲୋକକଳା ଲୋପ ପାଇବାକୁ ବସିଲାଣି ତାକୁ ପୁନରୁଦ୍ଧାର କରିବା ପାଇଁ ଏହି ଲୋକ ଉତ୍ସବ ପାଳନ କରାଯାଇଛି ବୋଲି କହିଥିଲେ । ଅନ୍ୟତମ ଅତିଥି ସାଂସଦ ବିଶି ରାଜ୍ୟ ସରକାର କଳାକାରଙ୍କୁ ଭତ୍ତା ପ୍ରଦାନ କରି ଏକ ଜୁଗାନ୍ତର ପଦକ୍ଷେପ ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ବିଶି କୃତଜ୍ଞତା ଜଣାଇଛନ୍ତି । ଏହି ଉତ୍ସବରେ ବ୍ଲକର ଅଧ୍ୟକ୍ଷା ନିରୁପମା ପଟେଲ, ଜିଲ୍ଲା ପରିଷଦ ସଦସ୍ୟ ସଂଯୁକ୍ତା ମେହେର, ପ୍ରମିଳା ପାଥର, ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଓ ଜନ ପ୍ରତିନିଧିମାନେ ମଞ୍ଚାସିନ ଥିଲେ ।