ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବେଳପଡ଼ା ଥାନା ଅନ୍ତର୍ଗତ ତଅଲା ଗାଁରେ ଗତ ୩୧ ତାରିଖ ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତଦେହ ନିକଟସ୍ଥ ପତ୍ରା ଜଙ୍ଗଲରୁ ଉଦ୍ଧାର ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୁଲିସ ସଫଳ ହୋଇଛି । ଅଭିଯୁକ୍ତ ଜଣକ ହେଲେ ତଅଲା ଗାଁର ହେମନ୍ତ ପୁଟି । ଅଭିଯୁକ୍ତ ଉପରେ ପୁଲିସର ସନ୍ଦେହ ହେବାରୁ ତାକୁ ଥାନାକୁ ଆଣି ଅଧିକ ଜେରା କରିବା ପରେ ସେ ହତ୍ୟାକାଣ୍ଡ ଭିଆଇଥିବା ନେଇ ସ୍ୱୀକାର କରିଥିଲା । ପୁଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏଟ ମଧ୍ୟ କରିଛି ।
ମିଳିଥିବା ରିପୋର୍ଟ ମୁତାବକ, ଅଭିଯୁକ୍ତ ହେମନ୍ତ ପୁଟି ସେହି ଗ୍ରାମର ପୁରୁଷୋତ୍ତମ ବେହେରାଙ୍କଠାରୁ କିଛିଦିନ ହେବ ଟେଲରିଂ କାମ ଶିଖୁଥିଲା । ଗତ ୩୧ ତାରିଖରେ ହେମନ୍ତ ପୁରୁଷୋତ୍ତମ ଓ ଅନ୍ୟ କିଛି ସାଙ୍ଗ ମିଶି ଭୋଜି କରିିଥିଲେ। କିନ୍ତୁ ଭୋଜି ସମୟରେ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ହେମନ୍ତ ଉତ୍ତେଜିତ ହୋଇ ପୁରୁଷୋତ୍ତମଙ୍କୁ ଟାଙ୍ଗିଆରେ ହ।।ଣି ଦେଇଥିଲେ । ଅନ୍ୟପଟେ ପୁରୁଷୋତ୍ତମ ଭୋଜି କରିବାକୁ ଯାଇ ଆଉ ଘରକୁ ନ ଫେରିବାରୁ ତାଙ୍କ ବାପା ଖୋଜିଖୋଜି ଆରମ୍ଭ କରିଥିଲେ । ଏହି ସମୟରେ ପୁରୁଷୋତ୍ତମଙ୍କ ବାଇକ ରାସ୍ତାକଡ଼ରେ ପଡ଼ିଥିବା ଦେଖି ବାପାଙ୍କ ସନ୍ଦେହ ବଢ଼ି ଯାଇଥିଲା । ଆଉ ସେଠାରୁ କିଛି ଦୂରରେ ଥିବା ପତ୍ରା ଜଙ୍ଗଲରେ ପୁରୁଷୋତ୍ତମଙ୍କ ମୃତଦେହ ପଡ଼ିଥିବା ଦେଖି ମୋ ପୁଅକୁ ହତ୍ୟା କରାଯାଇଥିବା ନେଇ ବାପା ବେଳପଡ଼ା ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ବେଳପଡ଼ା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା । ଘଟଣା ସମ୍ପର୍କରେ ବଲାଙ୍ଗିରରୁ ଏକ ସାଇଣ୍ଟିଫିକ ଟିମ ଆସି ଅଧିକ ତଦନ୍ତ ଆରମ୍ଭ କରିଥିଲା । ପରେ ହେମନ୍ତ ପୁଟିକୁ ଅଟକ ରଖି ପଚରାଉଚୁରା କଲା ପରେ ଘଟଣାର ସତ୍ୟତା ବାହାରିଥିଲା । ଏଥିସହିତ ହତ୍ୟା ଘଟଣାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ଆସାମୀ ହେମନ୍ତକୁ ଆଜି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି ବଲାଙ୍ଗିର ସଦର ଏସଡିପିଓ ତୋଫାନ ବାଗ କହିଛନ୍ତି ।