ନୂଆ ବର୍ଷରେ ଯୁରିଆରେ ସଂକଳ୍ପ ସମାବେଶ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଲୁହାସିଂହା ପଞ୍ଚାୟତ ଯୁରିଆ ଶିବ ମନ୍ଦିର ସମ୍ମୁଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସଂକଳ୍ପ ସମାବେଶ ଯୁବ ପରିଷଦ ଯୁଗ୍ମ ଆବାହକ ସୁଶୀଲ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନୃସିଂହ ନାଥ ଶାଖାର କର୍ମକର୍ତ୍ତାମାନେ ନରସିଂହ ନାଥରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ପଦ୍ମପୁର ଦେଇ ଯୁରିଆରେ ପହଞ୍ଚିଥିଲେ । ମଶାଲ ଶୋଭାଯାତ୍ରା ଦଳକୁ ଯୁରିଆରେ ଭବ୍ୟ ସ୍ୱାଗତ କରିବା ସହ ବାଦ୍ୟର ତାଳେ ତାଳେ ସମାରୋହ ସ୍ଥଳକୁ ନିଆଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ଯୁବ ପରିଷଦ କେନ୍ଦ୍ରୀୟ ଆବାହକ ଦୁର୍ଯ୍ୟୋଧନ ପୁଟା, ରାହାସ ବିହାରି ସାହୁ, ରଘୁବିର ସିଂ ବରିହା, ଭିଷ୍ମଦେବ ପଟେଲ ଓ ଟେମେରି ସରପଞ୍ଚ ଦିଲ୍ଲୀପ ବେହେରା ପ୍ରମୁଖ ଯୋଗଦେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ପୃଷ୍ଠଭୂମି ଓ ଜନ ଆନ୍ଦୋଳନର ବିଜୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରଥମେ ବୟୋଜ୍ୟେଷ୍ଠଙ୍କୁ ପୂଜନ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ନୃସିଂହନାଥ ଅଞ୍ଚଳର ସଂଗ୍ରାମୀଙ୍କୁ ମଧ୍ୟ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପ୍ରଧାନ, ଗନେଶି ତାଣ୍ଡି, ଧରମସିଂ ଧରୁଆ, ଗଜ ନାଗ, ଟିକେଶ୍ୱର ଧରୁଆ, ଶତ୍ରୁଘ୍ନ ନାୟକ, ଅନ୍ତର୍ଯ୍ୟାମୀ ଦାଶ, ପୂର୍ଣ୍ଣଚନ୍ଦ୍ର ସାହୁ, ଦିନବନ୍ଧୁ ମେହେର, କର୍ଣ୍ଣ ସିଂ ଠାକୁର ଓ ବାବାଜୀ ମେହେରଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ପୂର୍ବତନ ଆବାହକ ଧିରେନ୍ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଅଭୟ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ।