ପାଟଣାଗଡ଼,ଏନ୍ଏନ୍ଏସ୍: ବେଆଇନ ଧାନ ଗଚ୍ଛିତ ମାମଲାରେ ପ୍ରଶାସନ ପକ୍ଷରୁ ପାଟଣାଗଡ଼ ବ୍ଲକରେ ଚଢ଼ଉ କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଉକ୍ତ ବ୍ଲକର ବନାଇମୁଣ୍ଡା ପ୍ୟାକ୍ସ ଖୁଁଟଣାପାଣି ଗ୍ରାମର ସୁଦାମ ମେହେର ନାମକ ଜନୈକ ବ୍ୟକ୍ତିଙ୍କ ଗୋଦାମ ଘରେ ବିପୁଳ ପରିମାଣର ଧାନ ଗଚ୍ଛିତ ଥିବା ଖବର ପାଇ ପ୍ରଶାସନ ପକ୍ଷରୁ ତାଙ୍କର ୩ଟି ଗୋଦାମ ଘରେ ଚଢ଼ଉ ଜାରି ରହିଛି । ୩ଟି ଗୋଦାମ ଘରୁ ପ୍ରାୟ ୧୦୦୩ ବସ୍ତା ଧାନ ଜବତ ହୋଇଥିବା ନେଇ ସୂଚନା ମିଳିଛି । ଗୋଦାମ ବାହାରେ ଥିବା ସୁଦାମଙ୍କ ଉକ ଟ୍ରାକ୍ଟରରେ ବୋଝେଇ ହୋଇଥିବା ୧୨୦ ବସ୍ତା ଧାନ ଏବଂ ଅମୀୟ ଦାଶ ନାମକ ଜନୈକ ବ୍ୟକ୍ତିଙ୍କ ଟ୍ରାକ୍ଟରରୁ ପ୍ରାୟ ୧୧୦ ବସ୍ତା ଧାନ ଜବତ ହୋଇଛି। ସ୍ଥାନୀୟ ସହକାରୀ ଯୋଗାଣ ଅଧିକାରୀ ମାୟାଧର ସାହୁଙ୍କ ନେତୃତ୍ୱରେ ଯୋଗାଣ ବିଭାଗର ଅନ୍ୟ କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ ଥିବାବେଳେ ମାଜିଷ୍ଟ୍ରେଟ ଭାବେ ସହକାରୀ ଜିଲ୍ଲାପାଳ କ୍ଷିରୋଦ କୁମାର ସାହୁ ଉପସ୍ଥିତ ଅଛନ୍ତି । ତେବେ ସୁଦାମ ମେହେର ସେଠାରେ ଅନୁପସ୍ଥିତ ଥିବାସହ ଚଢ଼ଉ ସରିବା ପରେ ସବିଶେଷ ବିବରଣୀ ହସ୍ତଗତ ହେବ ।