ପାଟଣାଗଡ଼ ବିରାଟ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ରେ ବିରାଟ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିନରେ ଆଜି ଗଙ୍ଗାଧର ଉଦ୍ୟାନ ପରିସର ମଧ୍ୟରେ ନିର୍ମିତ ମହାରାଜ କଂସଙ୍କ ଭବ୍ୟ ଓ ସୁରମ୍ୟ ରାଜଦରବାରରେ ବିଭିନ୍ନ ଦୃଶ୍ୟ ଅଭିନୀତ ହୋଇଯାଇଛି । ଉଗ୍ରସେନଙ୍କୁ କଟୁଆଳ ଭାବରେ ନିଯୁକ୍ତି, ଦେବକୀଙ୍କ ଷଡ଼ପୁତ୍ର ହତ୍ୟା, କୃଷ୍ଣ ଜନ୍ମ ଓ ବସୁଦେବଙ୍କ ଗୋପପୁର ଯାତ୍ରା ଆଦି ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । କଂସ ଭୂମିକାରେ ରବୀନ୍ଦ୍ର ସାହୁଙ୍କ ନିଖୂଣ ଅଭିନୟ ଦଶର୍କଙ୍କୁ ବେଶ୍ ବିମୋହିତ କରିଛି । ମହାରାଜ କଂସଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣ ରକ୍ଷା କରି ପାଟଣାଗଡ଼ ବ୍ୟାଙ୍କ ଅଫ ବୋରାଦାର ମ୍ୟାନେଜର ସଂଗ୍ରାମ କୁମାର ପତି, ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ହିମାଂଶୁ ଶେଖର ପ୍ରଧାନ, ୟୁନିଅନ ବ୍ୟାଙ୍କର ମ୍ୟାନେଜର ମାନସ ରଞ୍ଜନ ସୁନା, ବ୍ୟାଙ୍କ ଅଫ ବୋରଦାର ଅତିରକ୍ତ ମ୍ୟାନେଜର ଅପର୍ଣ କୁମାର ଦେବତା, ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମ୍ୟାନେଜର କ୍ଷୀରୋଦ କୁମାର ଦାଶ, ଓ ବଜାର ଶାଖାର ମଞ୍ଜିଲ ଗଡ଼ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଅନ୍ୟପଟେ ଗୋପପୁର ଭାବେ ଚିତ୍ରିତ ଉଲବାଠାରେ ନନ୍ଦରାଜାଙ୍କ ଦରବାର ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ତଥା ଉଦଘାଟକ ଭାବେ ଯୋଗଦେଇ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଏହାକୁ ଉଦଘାଟନ କରିଥିଲେ । ଗୋପପୁରରେ ନନ୍ଦରାଜାଙ୍କ ପୁତ୍ରସୂୟ ଯଜ୍ଞ ଓ ଯଶୋଦାଙ୍କ ସ୍ୱପ୍ନରେ ବିଷ୍ଣୁପାଦ ଦର୍ଶନ ଆଦି ଦୃଶ୍ୟ ଅତି ନିଖୁଣ ଭାବେ ଅଭିନୀତ ହୋଇଛି ।