କେସିଙ୍ଗା,ଏନ୍ଏନ୍ଏନ୍: ରାଜ୍ୟ ସରକାର ଯୋଜନାର ସଠିକ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଓ ସମନ୍ୱୟ ଅଭାବରୁ ତାହା ବାଟବଣା ହେବାସହ ପରବର୍ତ୍ତୀ ସମୟରେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । କେସିଙ୍ଗା ଟିଟିଲାଗଡ଼ ଲୁଥୁର ବନ୍ଧ ପିଡବ୍ଲ୍ୟୁଡି ରାସ୍ତାରେ କନିଷ୍ଠ ଯନ୍ତ୍ରୀ ଜାନକୀ ନାୟକ ପିଡବ୍ଲ୍ୟୁଡି ବିଭାଗରୁ ମୌଖିକ ଅନୁମତି ନେଇ ରାସ୍ତାକଡ଼ରେ ପାଇପ ଲାଇନ ବିଛାଇବାକୁ ଲୋକେ ବିରୋଧ କରିବାରୁ ଏହା ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ମିଳିଥିବା ରିପୋର୍ଟ ମୁତାବକ, ଉକ୍ତ ରାସ୍ତା ନିର୍ମାଣ ସମୟରେ ପିଚୁ ରାସ୍ତାକୁ ସୁରକ୍ଷିତ ରଖିବା ପାଇଁ ରାସ୍ତାର ୨ ପାର୍ଶ୍ୱରେ ମାଟି, ବାଲି ଓ ମୋରୋମରେ ରୁଲିଂ କରାଯାଇଛି । ଏବେ ଉକ୍ତ ରାସ୍ତାର ପିଚୁକୁ ସଂଲଗ୍ନ କରି ସେଠାରେ ବିନା ବାଲି ଫିଲିଙ୍ଗ କରି ପାଇପ ବିଛାଇ ତରବରିଆ ଭାବେ ପୋତି ଦିଆଯାଇ ଥିବାରୁ ବର୍ଷା ଦିନେ ସେଠାରେ ପାଣି ଜମିବ ଓ ରାସ୍ତା ଖରାପ ହେବାସହ ଅନେକ ଯାନବାହନ ଫସିବ । ସେହି ସମୟରେ ଉକ୍ତ ଅଧିକାରୀ ନ ଥିବେ, ଠିକାଦାର ନିଜର ବିଲ୍ ପାଇବ ଓ ଅଧିକାରୀ ପିସି ପାଇବେ ହେଲେ ସାଧାରଣ ଲୋକ ହଇରାଣ ହେବେ ବୋଲି ଯୁବ ସଂଗଠକ ସୁରେଶ ରାଓ ଅଭିଯୋଗ କରିଛନ୍ତି । ଏନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଉ ନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।
ପ୍ରକାଶଥାଉ କି, ପିଏଚଡି କନିଷ୍ଠ ଯନ୍ତ୍ରୀ ସୁଶ୍ରୀ ନାୟକ ଆସିବା ଦିନଠୁ କାହାରି ଫୋନ ଉଠାଉ ନାହାନ୍ତି କି ସମସ୍ୟା ବିଷୟରେ ଅବଗତ ହେଉ ନାହାନ୍ତି । ଲୋକେ ଅଭିଯୋଗ କଲେ ଲୋକଙ୍କୁ ଧମକ ଦେଉଛନ୍ତି । ତେଣୁ ତୁରନ୍ତ ଏହାର ସଠିକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି ।