ପାଟଣାଗଡ଼,ଏନ୍ଏନ୍ଏସ୍: ଆସନ୍ତା ଜାନୁୟାରୀ ୧୨ରେ ହେବାକୁ ଥିବା ପାଟଣାଗଡ଼ ଉପଖଣ୍ଡସ୍ତରୀୟ ଲୋକ ଉତ୍ସବକୁ ସଫଳତାର ସହ କରିବାକୁ ନେଇ ସ୍ଥାନୀୟ ସୁଭଦ୍ରା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିବା ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଉତ୍ସବର ସଫଳତା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ୧୨ ତାରିଖରେ ରମାଇଁ ହାଇସ୍କୁଲ ରଙ୍ଗମଞ୍ଚରେ ହେବାକୁ ଥିବା ଏହି ଉତ୍ସବ ନିମନ୍ତେ ମଞ୍ଚ ପ୍ରସ୍ତୁତି କମିଟି, ସାଜସଜ୍ଜା, ଅଭ୍ୟର୍ଥନା, ଖାଦ୍ୟ, ପଞ୍ଜୀକରଣ ଓ ମଞ୍ଚ ପରିଚାଳନା ଇତ୍ୟାଦି ଲାଗି କମିଟି ଗଠନ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ବିଭାଗ ତଥା ରମାଇଁ ହାଇସ୍କୁଲ ଏନସିସି ଛାତ୍ର, ବିଦ୍ୟୁତ ଯୋଗାଣ ପାଇଁ ସହକାରୀ ଯନ୍ତ୍ରୀ, ଇଲେକ୍ଟ୍ରିକାଲ୍, ପାନୀୟ ଜଳ ଓ ସଫେଇ କାର୍ଯ୍ୟ ପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଆଶୁ ଚିକିତ୍ସା ସେବା ପାଇଁ ଉପଖଣ୍ଡୀୟ ଚିକିତ୍ସାଳୟର ଅଧିକ୍ଷକ, ବ୍ୟାରିକେଡିଙ୍ଗ ପାଇଁ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗକୁ ଅନୁରୋଧ କରାଯାଇଥିଲା । ଏତଦବ୍ୟତୀତ ଲୋକବାଦ୍ୟ(ଦଳୀୟ), ଲୋକସଂଗୀତ(ଦଳୀୟ), ଲୋକନୃତ୍ୟ(ଦଳୀୟ), ଲୋକବାଦ୍ୟ(ଏକକ) ଓ ଲୋକନାଟକ ବିଭାଗ ପାଇଁ ପ୍ରତ୍ୟେକ ବ୍ଲକ ୩ଟି ଲେଖାଏଁ ଶ୍ରେଷ୍ଠ ଦଳ ପଠାଇବାକୁ ବିଡିଓଙ୍କୁ ଅନୁରୋଧ କରାଯାଇଥିଲା । ପ୍ରତ୍ୟେକ ବ୍ଲକରୁ ଜଣେ ଲେଖାଏଁ କଳାକାରଙ୍କୁ ସମ୍ମାନିତ କରିବା ସହ ଏନଏସି ଅଞ୍ଚଳରୁ ମଧ୍ୟ ଜଣେ କଳାକାରଙ୍କୁ ସମ୍ମାନିତ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ନିଜ ନିଜ ବ୍ଲକସ୍ତରୀୟ ମହୋତ୍ସବକୁ ଚଳିତଥର ଆହୁରି ଆକର୍ଷଣୀୟ କରିବା ପାଇଁ ୩ଜଣ ଯାକ ବିଡିଓ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ଼ ବିଡିଓ ସୁମନ୍ତ କୁମ୍ଭାର, ବେଲପଡ଼ା ବିଡିଓ ଭିକ୍ଟର ସୋରେନ୍, ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ, ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ, ଏନଏସି ଇଓ ଗୌରହରୀ ମହନ୍ତଙ୍କ ସହ ସମସ୍ତ ସରକାରୀ ଅଧିକାରୀ, ବହୁ ବରିଷ୍ଠ ନାଗରିକ, କଳାକାର ତଥା ଗଣମାଧ୍ୟମ ପ୍ରତିନିଧି ବୈଠକରେ ଯୋଗ ଦେଇଥିଲେ । ସହକାରୀ ଜିଲ୍ଲାପାଳ କ୍ଷିରୋଦ ସାହୁ ଧନ୍ୟବାଦ ଦେଇଥିଲେ ।