ନବରଙ୍ଗପୁର,ଏନ୍ଏନ୍ଏସ୍: କେରଳର କନୁରରେ ଆୟୋଜିତ ସର୍ବଭାରତୀୟ କରାଟେ କୁବୁଡ଼ ଚମ୍ପିୟାନସିପରେ ସର୍ବମୋଟ ୧୯ଟି ମେଡାଲ ଜିତି ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଥିବା ଛାତ୍ରଛାତ୍ରୀଙ୍କୁ ସମର୍ଦ୍ଧନା ଦିଆଯାଇଛି । ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟର ଅଧ୍ୟକ୍ଷ ସଂସାଇ ଶରତ କୁମାର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଉପଆରକ୍ଷୀ ଅଧିକ୍ଷକ ଡା. ଚନ୍ଦ୍ର ଶେଖର ହୋତା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବରେ ଜିଲ୍ଲା ଆଇନଜୀବୀ ସଂଘର ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଜିଲ୍ଲା କ୍ରୀଡ଼ା ସଂଘର ଉପସଭାପତି ଏମ. ବାଲାକ୍ରିଷ୍ଣା ରାଓ, ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଓ ଅଧ୍ୟାପକ ଅଖିଳ ଭଟ୍ଟ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
ସୂଚନାଯୋଗ୍ୟ, ଚଳିତ ମାସ ଡିସେମ୍ବର ୧୭ ଓ ୧୮ ତାରିଖରେ କେରଳର କନୁରରେ ଅନୁଷ୍ଠିତ କରାଟେ ଟାଇମ୍ସ କପ-୨୦୨୨ ପ୍ରତିଯୋଗିତାରେ ସନ୍ଦୀପ କୁମାର ରାଉତ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ, ସଂଗୀତା ରାଉତ ୪ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ, ସୁଲୋଚନା ତ୍ରିପାଠୀ ୨ଟି ସ୍ୱର୍ଣ୍ଣ ଓ ଗୋଟାଏ ରୌପ୍ୟ, ସୁନାଖେ ପ୍ରିୟଦର୍ଶନୀ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ବ୍ରୋଞ୍ଜ, ଆକାଂକ୍ଷା ପ୍ରିୟଦର୍ଶନୀ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଏପରି ୧୧ଟି ସ୍ୱର୍ଣ୍ଣ ଓ ୩ଟି ରୌପ୍ୟ ୫ଟି ବ୍ରୋଞ୍ଜ ସହିତ ସର୍ବମୋଟ ୧୯ ପଦକ ହାସଲ କରିଛନ୍ତି ।