ତୁନିଷାଙ୍କ ଆତ୍ମହତ୍ୟା ପୂର୍ବର ୧୫ ମିନିଟକୁ ନେଇ ବଢ଼ୁଛି ରହସ୍ୟ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା ମାମଲାରେ ପୁଲିସର ଯାଞ୍ଚ ଜାରି ରହିଛି । ଉକ୍ତ ମାମଲାରେ ତୁନିଷା ଆତ୍ମହତ୍ୟା ପୂର୍ବର ଶେଷ ୧୫ ମିନିଟର ରହସ୍ୟକୁ ସମାଧାନ କରିବା ପାଇଁ ପୁଲିସ ଚେଷ୍ଟା ଜାରି ରଖିଛି । ଏହି ୧୫ ମିନିଟରେ ତୁନିଷା ଓ ଅଭିଯୁକ୍ତ ସିଜାନ ଖାନ୍ ସାଥୀରେ ଲଞ୍ଚ କରିଥିଲେ । ଏହାର ଠିକ୍ ୧୫ ମିନିଟ୍ ପରେ ଏମିତି କ’ଣ ହେଲା ଯେ ତୁନିଷା ଆତ୍ମହତ୍ୟା କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତୁନିଷାଙ୍କ ପରିବାର ମୁତାବକ, ୧୫ ଦିନ ପୂର୍ବରୁ ସିଜାନ ଖାନଙ୍କ ସହ ତୁନିଷାଙ୍କ ବ୍ରେକଅପ୍ ହୋଇଥିଲା । ଘଟଣା ଦିନ ତୁନିଷା ମନ ଖୁସିରେ ଘରୁ ବାହାରିଥିଲେ କିନ୍ତୁ ଲଞ୍ଚ ସମୟରେ ଅର୍ଥାତ୍ ସେହି ୧୫ ମିନିଟରେ ତୁନିଷା ଆତ୍ମହତ୍ୟା ନିଷ୍ପତ୍ତି ନେଇଛନ୍ତି । ତୁନିଷାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତେଇବା ଅଭିଯୋଗରେ ପୁଲିସ ୨୭ ବର୍ଷୀୟ ସାଥୀ ଅଭିନେତା ସିଜାନ ଖାନଙ୍କୁ ଗିରଫ କରିଛି ।
ତୁନିଷାଙ୍କ ମା’ କହିଛନ୍ତି ଯେ, ସିଜାନ ଖାନ୍ ତାଙ୍କ ଝିଅକୁ ଧୋକା ଦେଇଥିଲା । ସିଜାନ ତୁନିଷାଙ୍କ ସହ ସମ୍ପର୍କରେ ଥିଲା ଏବଂ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲା । ତୁନିଷାଙ୍କ ବ୍ୟତୀତ ସିଜାନ ଅନ୍ୟ ମହିଳାଙ୍କ ସହ ମଧ୍ୟ ସମ୍ପର୍କରେ ଥିଲା । ସିଜାନଙ୍କୁ ଦଣ୍ଡ ମିଳିବା ଉଚିତ । ମୁଁ ମୋ ଝିଅକୁ ହରାଇ ଦେଇଛି ।