କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଭାରତୀୟ ସେନା ବାହିନୀରେ ସାମିଲ ହେବାସହ ନିଜକୁ ମାତୃଭୂମି ଲାଗି ସମର୍ପଣ କରି ସ୍ୱାଭିମାନ ସହକାରେ ବଞ୍ଚିବା ପାଇଁ ମେଜର ଅମିତ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଛନ୍ତି । ସେନାବାହିନୀ ଯୋଗଦେଲେ ଆମେ କେବଳ ରୋଜଗାରକ୍ଷମ ହେଉନାହୁଁ ଏଥିରେ ଆମକୁ କ୍ଷମା, ସମ୍ବେଦନଶୀଳ, ପ୍ରେମ, ସମ୍ମାନ ଓ ଦେଶପ୍ରତି କର୍ତ୍ତବ୍ୟଶୀଳ ହେବା ପାଇଁ ଶିକ୍ଷା ମିଳିଥାଏ । ଭଗବାନ ସମସ୍ତଙ୍କୁ କିଛି ନା କିଛି ଶକ୍ତି ଦେଇଛନ୍ତି ସେଥିପାଇଁ ନିଜ ଭିତରେ ଥିବା କ୍ଷମତାକୁ ଦୃଢ଼ୀଭୂତ କଲେ ଦେଶ ପାଇଁ ଅନେକ ଜନହିତକର କାର୍ଯ୍ୟ କରିପାରିବା ବୋଲି ମେଜର ଶ୍ରୀ ସାହୁ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ, ଅଧ୍ୟାପକ ସୁରଥ ପ୍ରଧାନ ଓ ମେଜର ଅମିତ କୁମାର ସାହୁଙ୍କ ପିତା କ୍ଷମା ସାଗର ସାହୁ ଉପସ୍ଥିତ ଥିଲେ । କେସିଙ୍ଗା ମହାବିଦ୍ୟାଳୟ ଯୁକ୍ତ ୩ ଛାତ୍ର ଆଦିତ୍ୟ ସୁନା ମଞ୍ଚ ପରିଚାଳନା କରିଥିବାବେଳେ ଏନସିସି ଟ୍ରେନର ଅଧ୍ୟାପକ ସତୀଶ ଚନ୍ଦ୍ର ଖମାରି ଧନ୍ୟବାଦ ଦେଇଥିଲେ ।