ବାଲିଗୁଡ଼ା,ଏନ୍ଏନ୍ଏସ୍: ପୁଲିସ୍ ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ପୁଣି ୧୪କୋଟି ଟଙ୍କାର ବେଆଇନ ଗଞ୍ଜେଇ ଗଛ ନଷ୍ଟ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ଗ୍ରମପଞ୍ଚାୟତର ପୁଷାଙ୍ଗିଆ, ପାଲୁଙ୍କିଆ ଓ ଜକିକିଆ ଅଞ୍ଚଳର ୧୪୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ମିଳିତ ଟିମ୍ ନଷ୍ଟ କରିଥିବା ଜଣାପଡ଼ିଛି । ଏହାର ମୂଲ୍ୟ ୧୪ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ମାସରୁ ବାଲିଗୁଡ଼ା ଥାନା ଅଞ୍ଚଳରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଅପରେସନ ନୀଳ ଜହର ଜାରି ରହିଛି । ଉକ୍ତ ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବାକୁ ପୁଲିସ ପକ୍ଷରୁ ପ୍ରୟାସ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।