ପାଟଣାଗଡ଼,ଏନ୍ଏନ୍ଏସ୍: ଧାନ କ୍ରୟ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଦୀର୍ଘବର୍ଷ ଧରି ଓଡ଼ିଶାରେ ଚାଷୀମାନେ ଉପେକ୍ଷିତ ହେଉଛନ୍ତି । ସରକାର ଠିକ ହିସାବରେ ଧାନ କ୍ରୟ ନ କରିବା ସହ ମଣ୍ଡିଗୁଡ଼ିକ ସଠିକ ଭାବେ ପରିଚାଳିତ ହେଉନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହାକୁ କେନ୍ଦ୍ର କରି ଆଜି ବିଜେପି ପକ୍ଷରୁ ୧୦ଦଫା ଦାବୀ ନେଇ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରୁ ସହସ୍ରାଧିକ ବିଜେପି କର୍ମୀ ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ମାଧବ ସାଏଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ସରକାର ବିରୋଧି ସ୍ଲୋଗାନ ଦେଇ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ବିକ୍ଷୋଭ କରିବା ସହ ଧାରଣରେ ବସିଥିଲେ । ପରେ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଆନ୍ଦୋଳନସ୍ଥଳୀକୁ ପହଞ୍ଚି ଦାବୀପତ୍ର ଗ୍ରହଣ କରିଥିଲେ । ଉକ୍ତ ଦାବୀଗୁଡ଼ିକ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ମଣ୍ଡିଗୁଡ଼ିକ ସଠିକ ଭାବେ ଚାଲୁନଥିବାରୁ ଚାଷୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଣ୍ଟ୍ରାଲ ଟୋକନ ନାମରେ ସରକାରୀ ପ୍ରୟୋଜିତ ଚାଷୀ ମାରଣା ନୀତି ବନ୍ଦ କରାଯାଉ, ଏମଏସପି ପାଇଁ ପ୍ରତି ଜିଲ୍ଲା ଓ ବ୍ଲକରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉ,ଏମଏସପି ଦରରେ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଉ, ବସ୍ତା ଓ ସୁତିଲିର ପଇସା ଦିଆଯାଉ ବୋଲି ଦାବୀପତ୍ରରେ ଉଲ୍ଲେଖ ରହିଛି । ଆଗାମୀ ୭ଦିନ ମଧ୍ୟରେ ଦାବୀଗୁଡ଼ିକର ସମାଧାନ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜିଲ୍ଲା କୃଷକ ସଂଘର ସଭାପତି ଚେତାବନୀ ଦେଇଛନ୍ତି । ଏହି ଘେରାଉରେ ନୀଳ ପାଣିଗ୍ରାହୀ, ପ୍ରଶାନ୍ତ ଦାସ, କୁନୁ ମୁଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଅନିମା ଦାସ, ଶବ୍ଦ ମିର୍ଦ୍ଦା, ଶୋଭାକର ମେହେର, ବେଲପଡ଼ା ବ୍ଲକର ମଣ୍ଡଳ ସଭାପତି ବଲ୍ଲଭ ଧରୁଆ, ମହମ୍ମଦ ସିରାଜ, ଜ୍ଞାନ ରଞ୍ଜନ ସାଏ ଓ ଜ୍ଞାନ ପଟେଲଙ୍କ ସହ ସହସ୍ରାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।