ପୁଣି ଶବକୁ ଅସମ୍ନାନ, ବାଇକରେ ଘରକୁ ଆଣିଲେ ଶବ

ପିପିଲି,ଏନ୍ଏନ୍ଏସ୍: ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଇକ୍ରେ ଶବକୁ ବୋହିଲେ। ସୂଚନା ଅନୁଯାୟୀ ବେରବୋଇ ପଞ୍ଚାୟତର ଉଦୟପୁର ଅଞ୍ଚଳର ଅକୁର ଜେନା ଶନିବାର ବାରଣ୍ଡାରେ ବସିଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ। ପରେ ପରିବାର ଲୋକମାନେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅକୁରଙ୍କ ମୃତ ଦେହକୁ ଗାଁକୁ ଆଣିବା ପାଇଁ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପରିବାର ଲୋକେ କହିଥିଲେ। ତେବେ ମହାପ୍ରୟାଣ ଗାଡ଼ି ନଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ପରେ ପରିବାର ଲୋକେ ଅଟୋ ଓ ଆମ୍ବୁଲାନ୍ସକୁ କହିଥିଲେ ମଧ୍ୟ କେହି ରାଜି ହୋଇନଥିଲେ। ଫଳରେ ଅନ୍ୟକୌଣସି ଉପାୟ ନପାଇ ଅକୁରଙ୍କୁ ବାଇକ୍ ଯୋଗେ ଘରକୁ ଆଣିଥିଲେ। ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ତାଙ୍କ ମୃତଦେକୁ ବାଇକ୍‌ ମଝିରେ ବସାଇ ଦୁଇ ଜଣ ବ୍ୟକ୍ତି ନେଉଥିବା ଦେଖିବାକୁ ମିଳିଛି।