ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣୀଆମୁଣ୍ଡା ଗ୍ରାମରେ ଭିଣୋଇ ଓ ସମ୍ପର୍କୀୟ ମାମୁଁଙ୍କ ଆକ୍ରମଣରେ ଶଳାର ମୃତ୍ୟୁ ଘଟଣାରେ ଆଜି ଦେବଗଡ଼ ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଏନେଇ ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସଡିପିଓ ଅନିଲ କୁମାର ବେଉରିଆ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ଉଟୁଣିଆମୁଣ୍ଡା ଗ୍ରାମର ରମେଶ ମୁଣ୍ଡାଙ୍କ ଭଉଣୀ ଜେମା ମୁଣ୍ଡାକୁ ଉକ୍ତ ଗ୍ରାମରେ ରହୁଥିବା ସିଙ୍ଗରାଇ ମୁଣ୍ଡା ପ୍ରାୟ ୩ବର୍ଷ ପୂର୍ବେ ପ୍ରେମ ବିବାହ କରି ଦ୍ୱିତୀୟ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ । ସେମାନଙ୍କର ଏକ ଶିଶୁପୁତ୍ର ଥିବାବେଳେ କୌଣସି କାରଣକୁ ନେଇ ସିଙ୍ଗରାଇକୁ ଛାଡ଼ି ଜେମା ଅନ୍ୟଜଣେ ଯୁବକ ସହ ପଳାଇ ଯାଇଥିଲେ । ରମେଶ ଶିଶୁପୁତ୍ରକୁ ନିଜ ପାଖକୁ ନେଇଯିବାକୁ ସିଙ୍ଗରାଇକୁ କହିବାରୁ ଏନେଇ ଗତ ୪ ତାରିଖରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସିଙ୍ଗରାଇ ଜଣେ ସମ୍ପର୍କୀୟ କାଇରା ଲୁହୁରାଙ୍କ ସହ ମିଶି ରମେଶଙ୍କ ମୁଣ୍ଡକୁ ଏକ ଇଟା ସାହାଯ୍ୟରେ ଛେଚିଥିଲେ । ଫଳରେ ଘଟଣାସ୍ଥଳରେ ରମେଶଙ୍କ ମୃତ୍ୟୁ ଘଟିଥିବା ଜାଣି ଉଭୟ ମୃତ ଶରୀରକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଚାଲି ଯାଇଥିଲେ । ରମେଶ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ନ ପାଇବାରୁ ଦେବଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ପୁଲିସ ଏକ ନିଖୋଜ ମାମଲା ପଞ୍ଜିକୃତ କରି ଘଟଣାର ତଦନ୍ତ କରୁଥିବାବେଳେ ଗତ ୧୧ତାରିଖ ଦିନ ଉତଟୁଣିଆମୁଣ୍ଡା ଜଙ୍ଗଲରେ ଏକ ମୃତଦେହ ପଡ଼ିଥିବା ସୂଚନା ପାଇ ରମେଶର ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ଦେବଗଡ଼ ଥାନାକୁ ସୂଚନା ଦେଇଥିଲେ । ଦେବଗଡ଼ ଥାନା ପୁଲିସ ସାଇଣ୍ଟିଫି ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଇଟାକୁ ଜବତ କରିବା ସହ ୨ ଅଭିଯୁକ୍ତ ସମ୍ପର୍କୀୟ ମାମୁଁ କାଇରା ଲୁହୁରା ଓ ଭିଣୋଇ ସିଂରାଇକୁ ଗିରଫ କରି ଅଧିକ ପଚରାଉଚୁରା କରିବାରୁ ସେମାନେ ଦୋଷ ସ୍ୱୀକାର କରିଥିଲେ । ଆଉ ଆଜି ଷଡ଼ଯନ୍ତ୍ର ଓ ହତ୍ୟା ମାମଲାରେ ଦେବଗଡ଼ ଥାନା ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର କୁମାର ନାୟକ, ଅତିରିକ୍ତ ଆଇଆଇସି ସରୋଜ କୁମାର ସେଠୀ ଓ ତଦନ୍ତ ଅଧିକାରୀ ଦିବ୍ୟ ଓରାମ ଉପସ୍ଥିତ ଥିଲେ ।