ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସରକାରୀ ନୋଡାଲ ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡା. ହିମାଞ୍ଚଳ ମାଝୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୬୫ଟି ପ୍ରକଳ୍ପ ପ୍ରଦର୍ଶନୀରେ ଭାଗ ନେଇଥିଲେ । ଏହି ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ରାଇଘରର ୨ଜଣ ବିଚାରପତି ଜଗନ୍ନାଥ ସ୍ୱର୍ଣ୍ଣକାର ଓ ଅକ୍ଷୟ କୁମାର ମଲ୍ଲିକ କରିଥିଲେ । ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ମୁଖ୍ୟବକ୍ତା ଭାବେ ଯୁବ ବୈଜ୍ଞାନିକ ରବି ରଞ୍ଜନ ତ୍ରିପାଠୀ, ସମ୍ମାନିତ ଅତିଥିଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ସରକାର(ସଭାପତି), ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶୀଳା ମାଝୀ, ଉମରକୋଟ ପୌର ପରିଷଦ ଅଧ୍ୟକ୍ଷା ରାଧା ଭତ୍ରା, ବରିଷ୍ଠ ଶିକ୍ଷକ ଅଶୋକ କୁମାର ସାହୁ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପୁରୁଷୋତ୍ତମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରକଳ୍ପ ଭାବେ ଜିଲ୍ଲାସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୭ଟି ପ୍ରକଳ୍ପକୁ ମୁଖ୍ୟଅତିଥି ଓ ଅନ୍ୟ ଅତିଥିବୃନ୍ଦ ସିଲଡ଼ ସହ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସାମାଜିକ ଗଣମାଧ୍ୟମରେ ପ୍ରୋଜେକ୍ଟର ମାଧ୍ୟମରେ ହୋଇଥିଲା । ଦିଲ୍ଲୀପ କୁମାର ପଟ୍ଟନାୟକ, ନରେଶ ଚନ୍ଦ୍ର ପଟ୍ଟନାୟକ, ଡା. ପ୍ରଦୀପ କୁମାର ମିଶ୍ର ଓ ଟୁଟୁବାବୁ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ସିଆରସିସି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିଶୁ ବିଜ୍ଞାନୀଗଣ ଉପସ୍ଥିତ ରହି ସଫଳ କରିଥିଲେ ।