ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପୁଲିସ ୨ ବନ୍ୟଜନ୍ତୁ ଅଙ୍ଗ ତସ୍କରକୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତଦ୍ୱୟ ହେଲେ ତିଳେଇବଣି ବ୍ଲକ ଅନ୍ତର୍ଗତ ବିଲେଇଘଟି ଗ୍ରାମର ଫଗୁଆ ତ୍ରିୟୋବଂଶ ଓ ଡ଼ିମିରିକୁଦର ଗ୍ରାମର ପିଟର ଟୀଗା । ମିଳିଥିବା ରିପୋର୍ଟ ମୁତାବକ, ରିଆମାଳ ଥାନାଧିକାରୀ ଲଳିତା ପ୍ରଧାନ ବନ୍ୟଜନ୍ତୁ ଅଙ୍ଗ ତସ୍କର ନେଇ ବିଶେଷ ସୂତ୍ରରୁ ଖବର ପାଇ ଗୋହିରା ଡ୍ୟାମ ସାଇଟ ନିକଟରେ ଛକି ରହିଥିଲେ । ଆଉ ଅଭିଯୁକ୍ତଦ୍ୱୟ ୨ଟି ବାଇକ ଯୋଗେ ଏକ ବ୍ୟାଗରେ ପ୍ରାୟ ୧୨କେଜି ଓଜନର ୬ଖଣ୍ଡ ହାତୀ ଦାନ୍ତ ନେଇ ବିକ୍ରି ପାଇଁ ଆସୁଥିଲେ । ଏହି ସମୟରେ ଛକି ରହିଥିବା ପୁଲିସ ଟିମ୍ ସେମାନଙ୍କୁ କାବୁ କରି ହାତୀଦାନ୍ତ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରିଥିଲା । ତେବେ ଜବତ ହାତୀ ଦନ୍ତ ଦେବଗଡ଼ ବନ ବିଭାଗକୁ ହସ୍ତାନ୍ତର କରିଥିବା ନେଇ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି ।