ବେଳଗାଁରେ ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବେଲଗାଁସ୍ଥିତ କଲ୍ୟାଣ ମଣ୍ଡପରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତିୟ ସାମାଜିକ ସହାୟତା ଓ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ସମ୍ପର୍କୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ା ଗୁଣନିଧି ନାୟକ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ନେହେରୁ ବୁଡ଼େକ, ରିତାରାଣି ହାତୀ ଓ ପ୍ରମୋଦ ଭୋଇ ମଞ୍ଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସରପଞ୍ଚ, ସମିତି, ଜିଆରଏସ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧ୍ୟରେ ମନରେଗା ଉପରେ ଆଲୋଚନା ହୋଇଥିଲା । ଦାଦନପ୍ରବଣ ଏହି ଅଞ୍ଚଳରେ ଦାଦନ ସମସ୍ୟା ଦୂର କରିବା ପାଇଁ ମନରେଗା ଯୋଜନା ମାଧ୍ୟମରେ ଶ୍ରମଜୀବୀମାନେ କିଭଳି ଭାବେ ୧୦୦ରୁ ଅଧିକ ଦିନ ଶ୍ରମ ଦିବସ ପାଇପାରିବେ ତାହା ନେଇ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୯ ହଜାର ଜବ କାର୍ଡ ଥିବା ବେଳେ ୧୦ ଲକ୍ଷ ଶ୍ରମ ଦିବସ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି । ସରପଞ୍ଚ କିମ୍ୱା ସମିତି ସଭ୍ୟଙ୍କ ଦ୍ୱାରା ବିଭିନ୍ନ ପଞ୍ଚାୟତରୁ ପ୍ରକଳ୍ପ ତିଆରି କରିବା ପାଇଁ ପ୍ରସ୍ତାବ ଦେଲେ ଏହି ଲକ୍ଷ୍ୟ ପୂରଣ କରାଯାଇ ପାରିବ ବୋଲି ଶ୍ରୀ ନାୟକ କହିଥିଲେ । ମନରେଗା ସମ୍ୱନ୍ଧିତ ୯ଟି ପ୍ରକଳ୍ପରେ ସୂଚନା ଫଳକ ଲାଗି ନ ଥିବାବେଳେ ୨୪ଟି ପ୍ରକଳ୍ପର ଅଡିଟ କାଗଜପତ୍ର ଠିକଭାବେ ଉପସ୍ଥାପନ କରିନଥିବାରୁ ବେଲଗାଁର ଜଣେ ହିତାଧିକାରୀ ଏକା ସାଙ୍ଗକୁ ୨ଥର ଭତ୍ତା ପାଉଥିବା ଜାଣିବା ପରେ ଅଧିକାରୀଙ୍କ ଉପରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କ୍ଷୁବ୍ଧ ପ୍ରକାଶ କରିଥିଲେ । ବର୍ତ୍ତମାନ ସୁଦ୍ଧା ମାତ୍ର ୪ ଲକ୍ଷ କାର୍ଯ୍ୟ ଦିବସ ସମ୍ଭବ ହୋଇପାରୁଛି । ତେଣୁ ପ୍ରତ୍ୟେକ ପଞ୍ଚାୟତରେ ମନରେଗା ଯୋଜନାକୁ ଆହୁରି ପ୍ରଶସ୍ତ କରାଯାଇପାରିବ ବୋଲି ବିଡିଓ ଶ୍ରୀଯୁକ୍ତ ନାଗ କହିଛନ୍ତି । କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ସନ୍ତୋଷ ବେହେରା ସମେତ ବ୍ଲକର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ଜିପିଓ ପଦ୍ମକାନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।