ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଶିଶୁ ସମନ୍ୱୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସର୍ବ ଓଡ଼ିଶା ମହିଳା ଅଙ୍ଗନବାଡି କର୍ମଚାରୀ ସଂଘ ତରଫରୁ ମଞ୍ଜୁ ରଣାଙ୍କ ନେତୃତ୍ୱରେ ୮ ଦଫା ଦାବି ନେଇ ୮ ଦିନ ହେଲା ଧାରଣା ଦେଇଛନ୍ତି । ଗତ ୨୧ ତାରିଖରେ ହଜାରେରୁ ଊର୍ଦ୍ଧ୍ୱ ଅଙ୍ଗନବାଡି କର୍ମୀ ଭୁବନେଶ୍ୱରରେ ଆନ୍ଦୋଳନ ଆରମ୍ଭ କରିଥିଲେ । ସଂଘର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ସବୁ ବ୍ଲକରେ ଅଙ୍ଗନବାଡି କର୍ମୀ ଧାରଣା ଦେଇଥିବାବେଳେ ସଇଁନ୍ତଲା ଶିଶୁ ସମନ୍ୱୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ୨୦୧୮ ମସିହାରେ ବହିଷ୍କୃତ ହୋଇଥିବା ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ଅଙ୍ଗନବାଡ଼ି କର୍ମୀଙ୍କୁ ୧୮ହଜାର ଟଙ୍କା ଦରମା ସହ ସହାୟୀକାଙ୍କୁ ୯ ହଜାର ଟଙ୍କା ପ୍ରଦାନ, ଶିକ୍ଷାଗତ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟତ୍ରୀ ମାନ୍ୟତା ଓ ଯୋଗ୍ୟତା ଆଧାରରେ ପଦୋନ୍ନତି କରାଯାଉ ବୋଲି ଦାବି କରିଥିଲେ । ଅଙ୍ଗନବାଡି କର୍ମୀମାନେ ଦୀର୍ଘ ୮ ଦିନ ହେବ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିବାବେଳେ ୧୭୯ ସେଣ୍ଟର ବନ୍ଦ ରହିଛି । ଫଳରେ ୩୪୨୫ ଶିଶୁ ରନ୍ଧା ଖାଦ୍ୟରୁ ବଞ୍ଚିତ ରହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମମତା ରଣା, ମଞ୍ଜୁଶ୍ରୀ ପଣ୍ଡା, ରୀନା ରାୟ, ତପସ୍ୱିନୀ କୁମ୍ଭାର, ସେବତୀ ରଣା, ଯାଜ୍ଞସିନୀ ମିଶ୍ର, ନିରୂପମା ଗହୀର, ରୁକୁଣୀ ସା, ପଦ୍ମାବତୀ ସୁନା, ଯାଜ୍ଞସିନୀ ନାୟକ, ହେମବତୀ ମହାନନ୍ଦ, ସରିତା ସୁନା ଓ ଅର୍ଣ୍ଣପୂର୍ଣ୍ଣା ବେହେରା ପ୍ରମୁଖ ସାମିଲ ହୋଇଥିଲେ ।