ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଗସ୍ତରେ ଆସିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବଲାଙ୍ଗିର ଜିଲ୍ଲାସ୍ତରୀୟ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପାଟଣାଗଡ଼ ବ୍ଲକ ଅଫିସରେ କରିଛନ୍ତି । ଏହି ଅବସରରେ ଶିକ୍ଷାମନ୍ତ୍ରୀ ସ୍କୁଲମାନଙ୍କର ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଶିକ୍ଷକ, ଡ୍ରେସ, ସାଇକେଲ,ଏମଡିଏମ ଓ ଶିକ୍ଷକଙ୍କ ପେନସନ ଆଦି ବିଷୟରେ ଆଲୋଚନା କରିଥିଲେ । ଏହାସହ ତୁରନ୍ତ ପେନସନ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାର ଖିଲାପ କଲେ ବିଇଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ । ସିଆରସିସି ଓ ବିଇଓମାନେ ସ୍କୁଲମାନଙ୍କୁ ଯାଉନଥିବାରୁ ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ମାସେ ହେବ ପାଟଣାଗଡ଼ ବ୍ଲକର ପୁଡ଼ାପଦର ଓ ବଲିଆଭଟା ସ୍କୁଲ ଶିକ୍ଷକ ଅଭାବରୁ ତାଲା ପଡ଼ିଛି । ଏହି ଅଭିଯୋଗ ମୋ ପାଖରେ ଅଛି ଯଥାଶୀଘ୍ର ଶିକ୍ଷକ ଯୋଗାଇ ଦେବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ନିକଟରେ ପୁରୀ ଜିଲ୍ଲାର ଜିଲ୍ଲା ପରିଷଦ ରାଜେନ୍ଦ୍ର କୁମାର ଦାସଙ୍କ ମୃତ୍ୟୁରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ନଦେଇ ହଡ଼ବଡ଼ ହୋଇ ଚାଲି ଯାଇଥିଲେ । ଏହି ସମୀକ୍ଷା ବୈଠକରେ ଆଦିବାସୀ ବ୍ୟାପର ମନ୍ତ୍ରୀ ଜଗନ୍ନାଥ ସାରକା, ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ସହ ଡିଇଓ,ବିଇଓ ଓ ସିଆରସିସିମାନେ ଯୋଗ ଦେଇଥିଲେ ।
ର୍