ଟ୍ରେଞ୍ଚ ଖୋଳାରେ ମିଥ୍ୟା ଖବର ପ୍ରସାରିତ ନେଇ ଶ୍ରମିକଙ୍କ ଆନ୍ଦୋଳନ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ଏକ ଖବରକାଗଜ ପ୍ରତିନିଧି ପ୍ରଦୀପ ବାଗ ଟ୍ରେଞ୍ଚ ଖୋଳାରେ ଦୁର୍ନୀତି ହୋଇଥିବା ନେଇ ମିଥ୍ୟା ଖବର ପ୍ରସାରିତ କରିଥିଲେ । ଫଳରେ ଶତାଧିକ ଶ୍ରମିକ ବିଡ଼ିଓଙ୍କ କାର୍ଯ୍ୟାଳୟକୁ ଆସି ଆନ୍ଦୋଳନ କରିବା ସହଧାରଣାରେ ବସିଥିଲେ । ମିଳିଥିବା ରିପୋର୍ଟ ମୁତାବକ, ଡୁଙ୍ଗୁରିପାଲି ପଞ୍ଚାୟତ କୁଆଁରଗାଁସ୍ଥିତ ଡଙ୍ଗରମୁଣ୍ଡା ଜବ କାର୍ଡଧାରୀମାନେ ଡଙ୍ଗରମୁଣ୍ଡା ଟିମାମୁଣ୍ଡା ଷ୍ଟାଗର୍ଡ ଟ୍ରେଞ୍ଚରେ ମେସିନରେ କାମ ହେଉଛି ବୋଲି ମିଥ୍ୟା ଫଟୋ ଉତ୍ତୋଳନ କରି ବିଡିଓଙ୍କୁ ଅଭିଯୋଗ କରିଥିଲେ । ତେବେ ଶ୍ରମିକମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ କିଭଳି ଭାବେ ମେସିନରେ କାମ ହେଲା ତାହାକୁ ନେଇ ବିଡିଓଙ୍କୁ ପ୍ରଶ୍ନ କରିଥିଲେ । ବାରମ୍ବାର ଗାଁ ସାଥି ଅରବିନ୍ଦ ପଟେଲଙ୍କୁ ହଇରାଣ କରାଯିବା ସହ ୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ମଧ୍ୟ ବିଡିଓ ଚନ୍ଦ୍ରମଣୀ ନାଗଙ୍କୁ ଲିଖିତ ଭାବେ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ । ଏହି ସମୟରେ ଗାଁ ସାଥି ଅରବିନ୍ଦ ପଟେଲ, ରମେଶ ପଟେଲ, ବୁଲୁ ପଟେଲ, କୁଳ ରଣା, ବିରଞ୍ଚି ରଣା, ଟିକେଲାଲ ପଟେଲ, ଟିକୁ ଭୋଇ, ସଦା ରଣା, ମଧୁ ରଣା, ବଲ ରଣା ଓ ବିଶ୍ୱାଳ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।