ଭବାନୀପାଟଣାରେ ମାଣ୍ଡିଆ ଦିବସରେ ଶସ୍ୟ ଖାଦ୍ୟ ମେଳା

ଭବାନୀପାଟଣା,ଏନ୍‌ଏନ୍‌ଏସ୍‌ : ଚାଷ ଜମି ଓ ଖାଦ୍ୟ ଥାଳିରେ ପୁଷ୍ଟି ଶସ୍ୟର ପୁନଃପ୍ରଚଳନ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା କୃଷି ଓ କୃଷକ କଲ୍ୟାଣ ବିଭାଗ ତରଫରୁ ୧୦ ନଭେମ୍ବରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବ୍ଲକ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଛି । କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରେ ମଧ୍ୟ ଏକ କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳାର ଆୟୋଜନ କରାଯାଇଥିଲା । କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟର କୁଳପତି ଡା. ସଞ୍ଜୟ ଶତପଥୀ, ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ସାହୁ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ଡା. ଅମିତାଭ ପଣ୍ଡା, ଜିଲ୍ଲା ସୂଚନା ଅଧିକାରୀ ମନୋଜ ବେହେରା, ମୃତ୍ୟୁଞ୍ଜୟ ନାୟକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓଡ଼ିଶା ମିଲ୍ଲେଟ୍ସ ମିଶନ ଜିତୁ ନାୟକଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀବୃନ୍ଦ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କ୍ଷୁଦ୍ରଶସ୍ୟ ଜାତୀୟ ଖାଦ୍ୟ ଏବଂ ତା’ର ମହତ୍ତ୍ୱ୍ୱ, ମାଣ୍ଡିଆ ଦିବସ ପାଳନର ମୂଳ ଲକ୍ଷ୍ୟ ଓ ଓଡ଼ିଶା ମିଲ୍ଲେଟ୍ସ ମିଶନର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଯାଇଥିଲା ।