ଯୁବକର ମୃତଦେହ ଝୁନାବନ୍ଧ ପୋଖରୀରୁ ଉଦ୍ଧାର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବେଳପଡ଼ାସ୍ଥିତ ଝୁନାବନ୍ଧ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଖାଲିପଥର ଗାଁର ଛବି ନାୟଙ୍କ ପୁଅ ଖୀରସିନ୍ଧୁ ନାୟକ ଗତ ରବିବାରରୁ ଘରୁ ବାହାରି କୁଆଡ଼େ ଚାଲି ଯାଇଥିଲେ । ସନ୍ଧ୍ୟା ସମୟରେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ । ଆଉ ଆଜି ଝୁନାବନ୍ଧ ପୋଖରୀରେ ଯୁବକର ମୃତଦେହ ଭାସୁଥିବା କିଛି ଲୋକ ଦେଖି ବେଳପଡ଼ା ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲା । ପରେ ଶବଟି ନିଖୋଜ ଥିବା ଖୀରସିନ୍ଧୁର ବୋଲି ଜଣାପଡ଼ିବା ପରେ ପୁଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ପରିବାର ଲୋକେ ଆସି ମୃତଦେହକୁ ଚିହ୍ନିବା ପରେ ପୁଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।