ପିଏମସି ବ୍ୟାଙ୍କ ମାମଲା ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ଏବଂ ମହାରାଷ୍ଟ୍ର ସହକାରୀ ବ୍ୟାଙ୍କ (ପିଏମସି ବ୍ୟାଙ୍କ) ଠକେଇ ମାମଲାରେ ଦାୟର କରାଯାଇଥିବା ପିଟିସନ୍ ଉପରେ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏଥିସହିତ ହାଇକୋର୍ଟରେ ଅପିଲ୍ କରିବା ପାଇଁ କୋର୍ଟ ପିଟିସନକର୍ତ୍ତାଙ୍କୁ କହିଛନ୍ତି। ବ୍ୟାଙ୍କରେ ପ୍ରାୟ ୧୫ ଲକ୍ଷ ଲୋକଙ୍କର ଫସିରହିଥିବା ସମସ୍ତ ଜମାଟଙ୍କାକୁ ସୁରକ୍ଷା ଦେବା ସହିତ ଶତପ୍ରତିଶତ ବୀମା ପ୍ରଦାନ କରିବା ଦାବିରେ ବୁଧବାର ସୁପ୍ରିମକୋର୍ଟଙ୍କ ନିକଟରେ ପିଟିସନ୍ ଦାୟର କରାଯାଇଥିଲା। କୋର୍ଟ ଏହି ମାମଲାରେ ତତ୍କାଳ ଶୁଣାଣି ପାଇଁ ରାଜି ମଧ୍ୟ ହୋଇଥିଲେ। ମାତ୍ର ଶୁକ୍ରବାର କୋର୍ଟ ତାଙ୍କ ନିଷ୍ପତ୍ତିରେ ପିଏମସି ବ୍ୟାଙ୍କର ଜମାକାରୀଙ୍କୁ ଝଟକା ଦେଇଛନ୍ତି। ଏହି ମାମଲାରେ ବିଚାର କରିବା ପାଇଁ ଅରାଜି ହେବା ସହିତ ହାଇକୋର୍ଟରେ ଅପିଲ୍ କରିବା ପାଇଁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପିଟିସନକର୍ତ୍ତାଙ୍କୁ କହିଛନ୍ତି। ଅପରପକ୍ଷେ ଏଭଳି ସ୍ଥିତି ପ୍ରତି ସରକାର ସମ୍ବେଦନଶୀଳ ରହିଛନ୍ତି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୁକ୍ତମାନଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ଶୁକ୍ରବାରର ଏହି ଶୁଣାଣି ସମୟରେ ପବ୍ଲିକପ୍ରସିକ୍ୟୁଟର ତୁଷାର ମେହେଟା କୋର୍ଟଙ୍କୁ କହିଛନ୍ତି।