ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡ଼ା ପଞ୍ଚାୟତର ଗ୍ରାମବାସୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଆଜି ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ସଭାନେତ୍ରୀ ସବିତା ନନ୍ଦଙ୍କ ନେତୃତ୍ୱରେ ସଇଁନ୍ତଲା ତହସିଲଦାର ଓ ବିଡ଼ିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବୀପତ୍ରରେ ଗାଁର ମାନସୀ ହରପାର, ଦ୍ରୋପଦୀ ବାଗ, ଜୟନ୍ତୀ ଭୋଇ, ନୟମି ନାଗ, କାନ୍ତି ଯାନୀ, ଝିଲି ମାଝୀ ଓ ଉର୍ମିଳା ମହାନନ୍ଦଙ୍କ ସମେତ ଅନେକ ଲୋକଙ୍କ ରହିବା ପାଇଁ ଜାଗା ଖଣ୍ଡିଏ ମଧ୍ୟ ନଥିବା ଉଲ୍ଲେଖ କରାଯାଇଛି । ସେଥିପାଇଁ ଭୂମିହୀନ ପରିବାରଙ୍କୁ ୪ ଡିସିମିଲ ଲେଖାଏଁ ସରକାରଙ୍କ ଜାଗା ମିଶନ ଜରିଆରେ ଜାଗା ପ୍ରଦାନ କରିବାକୁ ଦାବୀ ହୋଇଛି । ସେହିପରି କିଛିଦିନ ପୂର୍ବରୁ ଲଗାଣ ବର୍ଷାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବାବେଳେ ସେମାନଙ୍କୁ ମଧ୍ୟ ଦରୀ ଖଣ୍ଡିଏ ଲେଖାଏଁ ପ୍ରଦାନ କରାଯାଉ ବୋଲି କୁହାଯାଇଛି । ୬୦ ବର୍ଷରୁ ଅଧିକ ମହିଳା ଓ ପୁରୁଷମାନେ ଭତ୍ତାରୁ ବଞ୍ଚିତ ରହିଛନ୍ତି ତେଣୁ ତୁରନ୍ତ ଦୃଷ୍ଟି ଦେଇ ଭତ୍ତା ଯୋଗାଇ ଦେବାକୁ ଉଲ୍ଲେଖ ରହିଛି । ଯଦି ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛିି ।