ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ ବ୍ଲକ ପାଢେଲ ଗ୍ରାମର ସର୍ବେଶ୍ୱର ପଟେଲ ପାଟଣାଗଡ ସ୍ଥିତ ଷ୍ଟେଟ୍ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ବାହାର କରି ରାମଜୀ ଛକକୁ କିଣାକିଣି କରିବାକୁ ଯାଇ ନିଜ ଗାଡିରେ ଫେରୁଥିବା ବେଲେ ଜଗି ରହିଥିଲେ ଲୁଟେରା ମାନେ। ପଲସର ବାଇକ(ଓଡି-୦୨ବିଜି-୮୮୩୩) ରେ ଲୁଟେରାମାନେ ଦୃତ ଗତିରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ନେଇ ବଲାଙ୍ଗିର ରାସ୍ତାରେ ଫେରାର ମାରିଥିଲେ। ପାଟଣାଗଡ଼ ପୁଲିସ ବଲାଙ୍ଗିର ସଦର ଏସ୍ଡିପିଓ ତୋଫାନ ବାଗକୁ ଖବର ଦେଇଥିଲେ। ପରେ ବଲାଙ୍ଗିର ପୁଲିସ ପାଟଣାଗଡ଼-ବଲାଙ୍ଗିର ରାସ୍ତା ସିଲ କରି ଯାଞ୍ଚ ଆରମ୍ଭ କରିବା ସମୟରେ ଝାଙ୍କରିପାଲି ଠାରେ ଲୁଟେରା ମାନେ ଏସଡିପିଓଙ୍କୁ ଚମକା ଦେଇ ବଲାଙ୍ଗିର ରାସ୍ତାରେ ଚାଲିଯାଇଥିଲେ।
ଆଗରେ ସଦର ଥାନା ପୁଲିସ ଛକି ରହିଥିଲେ ଓ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲେ। ଉକ୍ତ ୨ ଲୁଟେରାଙ୍କ ଠାରୁ ନଗଦ ୫ ଲକ୍ଷ ଟଙ୍କା, ବାଇକ ଓ ମୋବାଇଲ ଜବତ କରିଛି ପୁଲିସ। ଗିରଫ ହୋଇଥିବା ୨ ଲୁଟେରା ଯଥାକ୍ରମେ ଆସ୍କା ଓ ଯାଜପୁର ଅଞ୍ଚଳର। ଏ ସମ୍ପର୍କରେ ବଲାଙ୍ଗିର ଏସ୍ଡିପିଓ ତୋଫାନ ବାଗ ପାଟଣାଗଡରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।