ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଲଙ୍କାଗଡ଼ ଅଞ୍ଚଳରେ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ଓ ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲଙ୍କାଗଡ଼ ଗ୍ରାମପଞ୍ଚାୟତବାସୀଙ୍କ ସମେତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ସାମିଲ ହୋଇଥିଲେ । ଏଥିରେ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହିତ କ୍ରୀଡ଼ାରେ ବିକାଶ ପାଇଁ ଭଲିବଲ୍, ଭଳିବଲ ନେଟ, ଫୁଟବଲ୍ ଓ ହ୍ୟାଣ୍ଡବଲ୍ ଆଦି ଖେଳ ସାମଗ୍ରୀ ବଣ୍ଟନ କରାଯିବା ସହ ସିଆରପିଏଫ୍ ପକ୍ଷରୁ ୨୦ଟି ଅସହାୟ ପରିବାରଙ୍କୁ ବିଭିନ୍ନ ରୋଷେଇ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅଞ୍ଚଳବାସୀଙ୍କ ସହ ପୁଲିସର ସୁସମ୍ପର୍କ ସ୍ଥାପନ କରିବା ଏବଂ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟଅତିଥି ସିଆରପିଏଫ୍ ଦ୍ୱିତୀୟ କମାଣ୍ଡାଣ୍ଟ୍ ମାଉଲି ମୋହନ କୁମାର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଲଙ୍କାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସରୋଜ କୁମାର, ଲଙ୍କାଗଡ଼ ସରପଞ୍ଚ ସସ୍ମିତା ପାତ୍ର ଓ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସମୁଦାୟ ୨୦ ପରିବାର, ୨ଟି ବିଦ୍ୟାଳୟ ଓ ଗୋଟିଏ ଯୁବ କ୍ଲବ ଉପକୃତ ହୋଇଛନ୍ତି ଏବଂ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଦ୍ୱିତୀୟ କମାଣ୍ଡାଣ୍ଟ୍ ମାଉଲି ମୋହନ କୁମାର ପ୍ରକାଶ କରିଛନ୍ତି ।