୨୦୨୩ ସ୍ପେସିଆଲ ଅଲିମ୍ପିକ୍ସ ପାଇଁ ସଇଁନ୍ତଲାରୁ ବର୍ଲିନ(ଜର୍ମାନୀ) ଯିବେ ବୈଷ୍ଣବ, ଅର୍ଥ ସାଜିଛି ବାଧକ

ସଇଁନ୍ତଲା,ଏନ୍ଏନ୍ଏସ୍: ଇଚ୍ଛା ଦ୍ବାରା ସବୁ କିଛି ସମ୍ଭବ। ଝାଟି ମାଟି ଘରେ ରହୁଥିବା ଭିନ୍ନକ୍ଷମ ପୁଅଙ୍କୁ ନେଇ ଏବେ ଚର୍ଚ୍ଚା। ଛୋଟ ବେଳରୁ ଭିନ୍ନକ୍ଷମ ହୋଇଥିବା ବେଳେ ଏବେ ଜିଲ୍ଲା ପାଇଁ ଗର୍ବ ଓ ଗୌରବ। ଛୋଟ ବେଳରେ ପରିବାର ଲୋକେ ମାନସିକ ସ୍ତରରେ ଦୁର୍ବଳ ବୋଲି ବୈଷ୍ଣବକୁ ସମ୍ଭାଳିବା କଷ୍ଟକର ହୋଇପଡିଥିଲା। ବୈଷ୍ଣବର ବାପା ଓ ମାଆ ତାଙ୍କୁ ଜଗିବେ ନାଁ ପରିବାର ପୋଷଣ କରିବା ପାଇଁ ଯିବେ। ସବୁବେଳେ ଚିନ୍ତାରେ ରହି କାମ କରିବା ପାଇଁ ବାଧକ ଦେଖା ଦେଇଥିଲା। ୧୧ ବର୍ଷର ସେବା ଓ ଯତ୍ନ ପରେ ୬ ବର୍ଷ ପୂର୍ବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥିତ ରେଡ଼କ୍ରସ୍‌ ଭିନ୍ନକ୍ଷମ ବିଦ୍ୟାଳୟରେ ବୈଷ୍ଣବକୁ ପରିବାର ଲୋକେ ଛାଡି ଆସିଥିଲେ। ଏହି ସ୍କୁଲରେ ରହିବା ପରେ ବୈଷ୍ଣବ ଅନଗ୍ରସର ନୁହଁନ୍ତି ବରଂ ସେ ଯେ ବାସ୍ତବରେ ଭିନ୍ନକ୍ଷମ ଏକଥାକୁ ପ୍ରମାଣିତ କରିଛନ୍ତି।

ବୈଷ୍ଣବ ଜଣେ ସଫଳ କ୍ରୀଡ଼ାବିତ ଭାବରେ ପରିସ୍ପୁଟିତ ହୋଇ ଆସନ୍ତା ବର୍ଷ ଜର୍ମାନୀର ବର୍ଲିନ ଠାରେ ଆୟୋଜିତ ହେବାକୁ ଥିବା ସ୍ପେସିଆଲ ଅଲିମ୍ପିକ୍ସର ଭାଗ ନେବାପାଇଁ ମନୋନୀତ ହୋଇଥିବା ବେଳେ ଅଞ୍ଚଳରେ ବୈଷ୍ଣବକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି। ଅଲିମ୍ପିକ୍ସର ଜାଭେଳିନ ଓ ସଟ୍‌ଫୁଟ୍‌ ଇଭେଣ୍ଟ ପାଇଁ ସରକାରଙ୍କ ସ୍ପେସିଆଲ ଅଲିମ୍ପିକ୍ସ ଭାରତ ପକ୍ଷରୁ ତାଲିମ ପ୍ରଦାନ କରାଯାଉଛି।

ସୂଚନା ମତେ ସଇଁନ୍ତଲା ବ୍ଲକ୍‌ ଟିକ୍ରାପଡ଼ା ଗାଁ’ର ଭବନେ ରାଜପଲିଆ ଓ କସ୍ତୁରୀଙ୍କ ପୁଅ ବୈଷ୍ଣବ। ସେ ୧୯ ମାର୍ଚ୍ଚ ୨୦୦୬ ମସିହାରେ ଜନ୍ମଗ୍ରହଣ କରିଛନ୍ତି। ବୈଷ୍ଣବ ୬ ଭାଇ ଭଉଣୀ ହୋଇଥିବା ବେଳେ ସମସ୍ତଙ୍କ ଠାରୁ ସାନ। ସେମାନଙ୍କ ମଧ୍ୟରୁ ୪ ଜଣ ଭଉଣି ବିବାହ କରି ସାରିଥିବା ବେଳେ ଜଣେ ବଡ ଭଉଣୀ ସମେତ ବୈଷ୍ଣବ ରହିଛନ୍ତି। ପରିବାର ଲୋକେ ବୈଷ୍ଣବକୁ ମାନସିକ ସ୍ତରରେ ଭିନ୍ନକ୍ଷମ ବୋଲି ଜାଣିବା ପରେ ଭାଙ୍ଗି ପଡିବା ସହ ଅନେକ କଷ୍ଟରେ ତାର ଯତ୍ନ ନେଇ ପାଲି ପୋସି ବଡ଼ କରିଥିବା ପରିବାର ଲୋକେ କହିଛନ୍ତି। ୨୦୧୫ ମସିହାରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ସଇଁନ୍ତଲା ଠାରେ ଆୟୋଜିତ ଭୀମଭୋଇ ସାମର୍ଥ୍ୟ ଶିବିରରେ ବୈଷ୍ଣବ ଓ ତାଙ୍କ ବାପା ଯାଇଥିଲେ। ସେହି ସ୍ଥାନରେ ପ୍ରମାଣ ପତ୍ର ପ୍ରସ୍ତୁତ ସହ ବୈଷ୍ଣବକୁ ପ୍ରଶିକ୍ଷଣ ଦିଆଯିବ ବୋଲି କୁହାଯିବାରୁ ତାଙ୍କ ବାପା ସେହି ସ୍ଥାନରେ ଛାଡି ଆସିଥିଲେ।

ତେବେ ୨୦୧୬ ମସିହାରୁ ଏହି ସ୍କୁଲରେ ରହି ପାଠ ପଢା ଆରମ୍ଭ କରିଛନ୍ତି। ୨୦୧୭ ମସିହାରେ ବରଗଡ଼ ଜିଲ୍ଲା ବରପାଲି ଠାରେ ହୋଇଥିବା ରାଜ୍ୟସ୍ତରୀୟ ଭିନ୍ନକ୍ଷମ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଡିସ୍‌କସ୍‌ ଥ୍ରୋରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ।୨୦୧୮ ମସିହାରେ ବିହାରର ମୁଜାଫରପୁର ଠାରେ ହୋଇଥିବା କୋଚିଂ କ୍ୟାମ୍ପରେ ବୈଷ୍ଣବ ୧୦୦ ଓ ୨୦୦ ମିଟର ଦୌଡ଼ରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ୨୦୨୧ ମସିହାରେ ଗୁଜୁରାଟର ଗାନ୍ଧୀନଗର ଠାରେ ସ୍ପେସିଆଲ ଅଲିମ୍ପିକ ପ୍ରଶିକ୍ଷଣ ଓ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା।ସେହି ସ୍ଥାନରେ ମଧ୍ୟ ୧୦୦, ୨୦୦ ମିଟର ଦୌଡ ଓ ରିଲେ ରେସରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି ଜାଭଲିନ୍‌ ଓ ସଟ୍‌ଫୁଟରେ ମଧ୍ୟ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ତେବେ ଜେଭଲିନରେ ୧୫ ମିଟର ଏବଂ ସଟ୍‌ଫୁଟରେ ୧୧ ମିଟରର ରେକର୍ଡ କରି ସାରିଛନ୍ତି। ବୈଷ୍ଣବ ୧୬ରୁ ୧୮ ବର୍ଷ ବର୍ଗରେ ଯୋଗଦେବାକୁ ଥିବା ବେଳେ ତାଙ୍କୁ କୋଚ୍ ଉମାକାନ୍ତ ଷଡ଼ଙ୍ଗୀ ଦିନରାତି କଠିନ ପରିଶ୍ରମ କରି ପ୍ରସ୍ତୁତ କରାଉଛନ୍ତି। ବୈଷ୍ଣବ ବିଦେଶ ଯିବେ ବୋଲି ପ୍ରଧାନ ଶିକ୍ଷକ ଦେବାନନ୍ଦ ସାହୁ ଇଂରାଜୀ ଭାଷା ଶିଖାଉଛନ୍ତି। ତେଣୁ ବୈଷ୍ଣବଙ୍କ ଯିବା ଆସିବା ସଙ୍ଗକୁ ବିଭିନ୍ନ ପ୍ରକାରର ଆର୍ଥିକ ଅଭାବ ଯୋଗୁଁ ଅନେକ ଅସୁବିଧା ହେଉଥିବା ବେଳେ ରାଜ୍ୟ ସରକାର ଦୃଷ୍ଟି ଦେଇ ସହାୟତା ଯୋଗାଇଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।