ରୀତା ସାହୁଙ୍କୁ ଆର୍ଶୀବାଦ କରନ୍ତୁ : ମୁଖ୍ୟମନ୍ତ୍ରୀ, ଗାଇସିଲେଟ ବ୍ଳକରେ ମାରାଥନ ପ୍ରଚାର …

ବରଗଡ଼, ଏନ୍ଏନ୍ଏସ୍ : ଦ୍ୱିତୀୟ ଦିନରେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଗାଇସିଲେଟ ମାରାଥନ ପ୍ରଚାର କରିଛନ୍ତି । ଶୁକ୍ରବାର ଗାଇସିଲେଟ ବ୍ଳକର ବିଭିନ୍ନ ପଚାଂୟତରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରୋଡ ସୋରେ ସାମିଲ ହୋଇ ରୀତା ସାହୁଙ୍କୁ ଆର୍ଶୀବାଦ କରନ୍ତୁ ଏବଂ ଶଙ୍ଖ ଚିହ୍ନରୁ ଭୋଟ ଦିଅନ୍ତୁ ବୋଲି ସମସ୍ତଙ୍କୁ ଜୁହାର ବୋଲି ସମ୍ମୋଧନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବସ ଆଗରେ ଏକ ଖୋଲା ଜିପରେ ବିଜେଡି ପ୍ରାର୍ଥୀନୀ ରୀତା ସାହୁ ଙ୍କ ସମେତ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ପଦ୍ମିନୀ ଦିଆନ ଏବଂ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଜନସାଧାରଣଙ୍କୁ ଭୋଟ ପାଇଁ ନିବେଦନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଗାଇସିଲେଟ ବ୍ଳକର ତାଲପାଲି, କେନ୍ଦୁଭଟା, ଗୌରନେମୁଣ୍ଡା ,ଗାଇସିଲେଟ, କନ୍ଧୁମୁଣ୍ଡା, କଠଉମାଲ, ବଡ ସାହାଜବାହାଲ, ଜଗଲପାଟ, ବଙ୍ଗୋମୁଣ୍ଡା, ଡାଙ୍ଗବାହାଲ, ଶ୍ରଦ୍ଧାପାଲି,କେରମେଲି, କୁଣ୍ଡାଖାଇ, ଗୁଦେରପାଲି ଆଦି ସ୍ଥାନରେ ପଥପ୍ରାନ୍ତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ପ୍ରଫୁଲ୍ଲ ମଲ୍ଲିକ, ଅରୁଣ ସାହୁ, ସୁଶାନ୍ତ ସିଂ, ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ,ସଂଜୟ ଦାସବର୍ମା, ମନ୍ତ୍ରୀ ନବ ଦାସ, ପଦ୍ମନାଭ ବେହେରା, ସମୀର ଦାସ, ଏୟୁ ସିଂଦେଓ, ରାସେଶ୍ୱରୀ ପାଣିଗ୍ରାହୀ , ପ୍ରଭାତ ବିଶ୍ୱାଲ , ବିଧାୟକ ସରୋଜ ମେହେର, ଦେବୀପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ,ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ବିକ୍ରମ ଆରୁଖ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗତ କାଲି ଗୁରୁବାର ବିଜେପୁର ଏବଂ ବରପାଲି ବ୍ଳକରେ ରୋଡ ସୋ କରି ରୀତା ସାହୁଙ୍କ ପ୍ରଚାର କରି ବରଗଡ଼ରେ ରାତ୍ରି ଯାପନ କରିଥିଲେ ଏବଂ ଆଜି ସକାଳେ ଏକ ସ୍ୱତନ୍ତ୍ର ହେଲିକେପଟର ଯୋଗେ ଗାଇସିଲେଟ ପହଂଚି ରୋଡ ସୋରେ ସାମିଲ ହୋଇଥିଲେ ।