ଫସଲ ବୀମା ଦାବିରେ କେନ୍ଦ୍ର ବିରୁଦ୍ଧରେ ତାତିଲେ ଚାଷୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଫସଲ ବୀମା ରାଶି ପ୍ରଦାନ ଦାବୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଗାଡ଼ିକୁ ଅଟକାଇ କୃଷକ ସଙ୍ଘ ସହ ଆଲୋଚନା ପାଇଁ ବାଧ୍ୟ କରିଥିବା ଦେଖିବାକୁ ମିଳିଛି । ଫଳରେ ମଧ୍ୟାହ୍ନ ଭୋଜନ ପାଇଁ ସରକାରୀ ବାସଭବନକୁ ବାହାରିଥିବା ଜିଲ୍ଲାପାଳ ପୁଣିଥରେ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ଫେରି ଚାଷୀ ନେତା, ଇନ୍ସୁରାନ୍ସ କମ୍ପାନୀ ଓ କୃଷି ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ଜିଲ୍ଲାର ଚାଷୀଙ୍କୁ ଫସଲ ବୀମା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଅବଗତ କରିବା ସହ ରାଜ୍ୟ ସରକାର ଏସମ୍ପର୍କରେ କେନ୍ଦ୍ରକୁ ବାରମ୍ବାର ପତ୍ର ଲେଖୁଥିଲେ ମଧ୍ୟ କୌଣସି ଉତ୍ତର ଆସୁ ନଥିବାରୁ ଜିଲ୍ଲା ପ୍ରଶାସନ ଉପାୟ ଶୂନ୍ୟଥିବା ବୁଝାଇଥିଲେ । ଏହାସହ ଚାଷୀଙ୍କ କ୍ଷତିପୂରଣ ପାଇଁ ଜିଲ୍ଲା ପ୍ରଶାସନ ବାରମ୍ବାର ପତ୍ର ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପଟେ ବୀମା କମ୍ପାନୀ ଏଚଡିଏଫସି ଏଗ୍ରୋ ବିରୁଦ୍ଧରେ ବୀମା ରାଶିରୁ ବଞ୍ଚିତ ଚାଷୀମାନେ କୃଷକ ସଂଘର୍ଷ ସଂଘ ଜରିଆରେ ଦେବଗଡ଼ ଥାନାରେ ବୀମା ଅର୍ଥ ହଡ଼ପ ନେଇ ଏକ ଏତଲା ପ୍ରଦାନ କରିବେ ବୋଲି ଜଣାପଡ଼ିଛି ।