ବିରାଟକାୟ ଆମ୍ବ ଗଛ ପଡ଼ି ରାସ୍ତା ଅବରୋଧ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଫରେଷ୍ଟ ଗେଟ୍ ପଛପଟେ ଥିବା ରମ୍ପା ସାହିରେ ଏକ ବିରାଟକାୟ ଆମ୍ବ ଗଛ ପଡ଼ି ବିଦ୍ୟୁତ୍ ଖୁଣ୍ଟ ଓ ନଳକୂପ ଭାଙ୍ଗିଯିବା ସହ ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି । ଭୋର ୫ଟା ସମୟରେ ଏହି ଘଟଣା ଘଟିଥିବାବେଳେ ପ୍ରାତଃ ଭ୍ରମଣରେ ଯାଉଥିବା ପଥଚାରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଉକ୍ତ ଆମ୍ବ ଗଛଟି ସାହିର ଅଳିଆ ଗଦା ପାର୍ଶ୍ୱରେ ଥିବା ଯୋଗୁ କେହିଜଣେ ନିଆଁ ଲଗାଇ ଦେବାରୁ ଗଛଟି ପଡ଼ିଯାଇଥିବା ସାଧାରଣରେ ଆଲୋଚନା ହେଉଛି । ଏଭଳି ସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାକାର୍ଯ୍ୟ କରାଯିବାକୁ ସାଧାରଣରେ ଦାବି ହୋଇଛି ।