୨ ଦିନ ପରେ ଶବକୁ ଦିଆଗଲା କବର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଗୁଲିବଡ଼ନା ଗାଁରେ ମଶାଣି ବିବାଦ ସମାପ୍ତ ହୋଇ ନ ପାରିବାରୁ ଶବକୁ କବର ଦେବା ପାଇଁ ୨ଦିନ ଧରି ସ୍ଥାନ ମିଳିଲାନି । ଶେଷରେ ପ୍ରଶାସନ ହସ୍ତକ୍ଷେପ କରି ଗୁଲିବଡ଼ନାଠାରୁ ୫କିମି ଦୂର ଧଡ୍ରା ନିକଟସ୍ଥ ଭିମାଗୁଡ଼ା ଗ୍ରାମର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଥିବା କବର ସ୍ଥାନରେ ଶବ ସତ୍କାର କରାଇଛି । ପ୍ରଶାସନ ତରଫରୁ ଝରିଗାଁ ତହସିଲଦାର ଚିନ୍ମୟ ସାଗର, ଥାନାଧିକାରୀ ଦୀପକ କୁମାର ଜେନା, ଝରିଗାଁ ବିଡିଓ ଓ ରାଜସ୍ୱ ନିରୀକ୍ଷକ ପୁରୁଷୋତ୍ତମ କୋଳଥିଆ ପ୍ରମୁଖଙ୍କ ଉପସ୍ଥିତିରେ ପରିବାର ଲୋକେ ଭୀମଗୁଡ଼ା ଗ୍ରାମରେ ଶବକୁ ଖ୍ରୀଷ୍ଟ ଧର୍ମ ରୀତିନୀତିରେ କବର ଦେଇଥିଲେ । ଏଥିରେ ନବରଙ୍ଗପୁର ଇଣ୍ଟର ଡିନମିନେସନାଲ ପାଷ୍ଟର ଆସୋସିଏସନର ସଭାପତି ରେଭ ପ୍ରଦୀପ କୁମାର ନନ୍ଦ, ସାଧାରଣ ସମ୍ପାଦକ ରେଭ ଡା ଖ୍ରୀଷ୍ଟଦାନ ନାଗ, କୋଷାଗୁମୁଡ଼ା ଖ୍ରୀଷ୍ଟିଆନ ସମାଜର ସଭାପତି ରେଭ ହିମାଂଶୁ ଶେଖର ବାଘ, ସାଧାରଣ ସମ୍ପାଦକ ରେଭ କିଶୋର ଚାଲକି, ଉପଦେଷ୍ଟା ରେଭ ଉଇଲିୟମ ସିପା, ଯୁବ ସମାଜସେବୀ ଚମ୍ପାଲାଲ, ରେଭ ରଞ୍ଜିତ ଗରଡ଼ା, ରେଭ କାମଦେବ ଜାଲ ଓ ରେଭ ଗାବ୍ରିଏଲ କର୍କରାଙ୍କ ସମେତ ପ୍ରାୟ ୧ ହଜାରରୁ ଉର୍‌ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଗୁଲିବଡ଼ନା ଗ୍ରାମର ବୃଦ୍ଧ ଝିତ୍ରୁ ଭତ୍ରାଙ୍କ ମୃତ୍ୟୁ ହୋଇଥିଲା । ଝିତ୍ରୁ ଭତ୍ରାଙ୍କ ପରିବାର ୪ ବର୍ଷ ତଳେ ନିଜ ଧର୍ମ ଛାଡ଼ି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବାରୁ ମୃତ୍ୟୁ ପରେ ଗାଁ ମଶାଣିରେ ଶବକୁ ସମାଧି ଦେବାକୁ ଜାଗା ମିଳି ନଥିଲା । ଏନେଇ ୨ଦିନ ଧରି ଗାଁରେ ଉତ୍ତେଜନା ଲାଗି ରହିଥିଲା । ପ୍ରଶାସନିକ ଅଧିକାରୀମାନେ ୨ଦିନ ଧରି ବୁଝାସୁଝା କରିବା ପରେ ମଧ୍ୟ ସମାଧାନର ବାଟ ଫିଟି ନଥିଲା । ଶେଷରେ ଶନିବାର ସନ୍ଧ୍ୟାରେ ଗାଁରୁ ଶବକୁ ସ୍ଥାନାନ୍ତରିତ କରି ପ୍ରଶାସନ ଉମରକୋଟ ଡାକ୍ତରଖାନାରେ ରଖିଥିଲା ।