ଦୁର୍ନୀତି ନିବାରଣ ସପ୍ତାହରେ ଶପଥ ନେଲେ ଜିଲ୍ଲା ପ୍ରଶାସନ ଅଧିକାରୀ ଓ କର୍ମଚାରୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଓସ୍ୱାନ କକ୍ଷରେ ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚେତନତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେବଗଡ଼ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ମୁଖ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଜୀବନର ସବୁ କ୍ଷେତ୍ରରେ ସାଧୁତା ଓ ଆଇନକୁ ଅନୁସରଣ କରିବା, ଲାଞ୍ଚ ନେବା କିମ୍ବା ଦେବାରୁ ନିବୃତ ରହିବା, ଜନ ହିତରେ କାର୍ଯ୍ୟ କରିବା, ବ୍ୟକ୍ତିଗତ ବ୍ୟବହାରରେ ସାଧୁତା ପ୍ରଦର୍ଶନ କରିବା, ଦୁର୍ନୀତି ସମ୍ପର୍କରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ଓ ସଚ୍ଚୋଟତାର ସର୍ବୋଚ୍ଚ ମାନକୁ ଅନୁସରଣ କରି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ସମର୍ଥନ କରିବାକୁ ଶପଥ ନେଇଥିଲେ । ଅନୁରୂପ ଭାବେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ ।