ନବରଙ୍ଗପୁର,ଏନ୍ଏନ୍ଏସ୍: ଦୁର୍ନୀତି ନିବାରଣ ସପ୍ତାହ-୨୦୨୨ ପାଳନ ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସମ୍ପର୍କିତ ସାଧୁତାର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକସ୍ତରରେ ଥିବା ପଦାଧିକାରୀ, କର୍ମଚାରୀ ଅଂଶଗ୍ରହଣ କରି ଶପଥପାଠ କରିଥିଲେ । ଏଥିରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ବ୍ଲକ୍ ନିଜ ନିଜ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଇ ଶପଥ ପାଠ କରିଥିବାବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଶୱାନ ସଭା ଗୃହରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି ଜିଲ୍ଲାପାଳ ନିର୍ମଳ ନାୟକ, ମୌସୁମୀ ନାୟକ, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ପ୍ରମୁଖ ଯୋଗଦେଇ ସାଧୁତାର ଶପଥ ପାଠ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଦୁର୍ନୀତି ନିବାରଣ ସମ୍ପର୍କିତ ସାଧୁତାର ଶପଥ ପାଠ କରାଇଥିଲେ ।
ଦେଶର ଆର୍ôଥକ, ରାଜନୈତିକ, ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ଼ ପ୍ରତିବନ୍ଧକ, ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ ବୋଲି ଜିଲ୍ଲାପାଳ ଡା. ମିଶ୍ର ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ଡା. ମିଶ୍ର ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ପାଳନର ଶପଥ ପାଠ କରାଇଥିଲେ । ଏହାସହ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାରେ ସମସ୍ତ ନାଗରିକଙ୍କ ପ୍ରମୁଖ ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।