ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟର ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି ବୀମା ପ୍ରଦାନରେ ଅବହେଳା ପ୍ରତିବାଦରେ ଜିଲ୍ଲା ବିଜେଡି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଓ ପଦାଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବାସହ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଦଳର ବରିଷ୍ଠ ନେତୃମଣ୍ଡଳୀ ନିଜ ନିଜ ବକ୍ତବ୍ୟରେ ଆଜି ମଧ୍ୟ ଦେବଗଡ଼ ଜିଲ୍ଲାର ୫ଟି ପଞ୍ଚାୟତର ଚାଷୀ ଫସଲ ବୀମାରୁ ବଞ୍ଚିତ ରହିଥିବା ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଫସଲ ବୀମା ପ୍ରଦାନ ନେଇ କେନ୍ଦ୍ରକୁ ଅବଗତ କରାଇବା ପରେ ମଧ୍ୟ କେନ୍ଦ୍ର ଏଥିପ୍ରତି କର୍ଣପାତ କରୁନଥିବାରୁ ଏହା ଚାଷୀଙ୍କୁ ପ୍ରତାରଣା ବୋଲି ଅଭିହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ସଂଘ ସଭାପତି ପ୍ରମୋଦ କୁମାର ଝାଙ୍କର, ଜିଲ୍ଲା ପରିଷଦ ଅଧକ୍ଷ କୌଶିକ ପ୍ରଧାନ, ସଦସ୍ୟା ଗୀତାଞ୍ଜଳି ପାଣି, ଏସଡିସିସି ବ୍ୟାଙ୍କ ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ଜିଲ୍ଲା ସରପଞ୍ଚ ସଂଘ ସଭାପତି ସତ୍ୟ ନାରାୟଣ ପାଣି, ଦେବଗଡ଼ ପୌରପରିଷଦ ଅଧ୍ୟକ୍ଷ ଶାନ୍ତି ମଞ୍ଜରୀ ଦେଇ ଓ ବାରକୋଟ ବ୍ଲକ ପୂର୍ବତନ ଅଧକ୍ଷ ଦେବେନ୍ଦ୍ର ବେହେରାଙ୍କ ସମେତ ପଞ୍ଚାୟତଠାରୁ ପୌରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ବର୍ଗର ଦଳୀୟ ପଦାଧିକାରୀ ଓ କର୍ମୀ ସାମିଲ ହୋଇଥିଲେ ।