ଏହି ରାଜ୍ୟରେ ଆସିବ ୟୁନିଫର୍ମ ସିଭିଲ କୋର୍ଡ ! କ୍ୟାବିନେଟରେ କମିଟ ଗଠନ ନେଇ ନିଷ୍ପତ୍ତି

ଗାନ୍ଧୀନଗର,ଏଜେନ୍ସି: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟରେ ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋର୍ଡ) ଲାଗୁ ହେବା ନେଇ ବଢିଲା ସମ୍ଭାବନା । ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ସର୍ବୋଚ୍ଚ କୋର୍ଟ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ବିଟ କରି ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡ ଢାଞ୍ଚାରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ କମିଟି ଗଠନ କରି ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ କାର୍ଯ୍ୟକାରୀତାର ଆବଶ୍ୟକତା ଓ ଏସମ୍ପର୍କିତ ଅନ୍ୟାନ୍ୟ ଦିଗକୁ ଅନୁଧ୍ୟାନ ପରିସରକୁ ଅଣିବାକୁ ଯାଉଛନ୍ତି ରାଜ୍ୟ ସରକାର ।

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ବିଟରେ କହିଛନ୍ତି, ‘‘ଆଜି ବସିଥିବା କ୍ୟାବିନେଟ ବୈଠକରେ ରାଜ୍ୟରେ ୟୁନିଫର୍ମ ସିଭିଲ କୋର୍ଡର କାର୍ଯ୍ୟକାରୀତା ସମ୍ପର୍କରେ ଏକ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜ୍ୟରେ ଏହାକୁ ଲାଗୁ କରିବାର ଆବଶ୍ୟକତା ଓ ଅନ୍ୟ ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏହି ଉଚ୍ଚସ୍ତରୀୟ ଅନୁଧ୍ୟାନ କମିଟି ଗଠନ ହେବ । ଏହି କମିଟି ଅନୁଧ୍ୟାନ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବେ ସରକାର ।’’

ତେବେ ଚଳିତ ବର୍ଷ ଶେଷ ଭାଗରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ନିର୍ବାଚନ ପୂର୍ବରୁ ଭୂପେନ୍ଦ୍ର ସରକାର ଏହାକୁ ରାଜ୍ୟରେ ଲାଗୁ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଚଳିତ ବର୍ଷ ମେ’ ମାସରେ ସମାନ ପ୍ରକ୍ରିୟା ଆରମ୍ଭ କରିଥିଲା ଉତ୍ତରାଖଣ୍ଡ ସରକାର । ସେହିପରି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ରାଜ୍ୟରେ ୟୁନିଫର୍ମ ସିଭିଲ କୋର୍ଡ କାର୍ଯ୍ୟକାରୀ କରାଯିବା ନେଇ ସଙ୍କେତ ଦେଇଥିଲେ । ତେବେ ଏହି ଧାରାରେ ସାମିଲ ହେବାକୁ ଯାଉଛି ଅନ୍ୟତମ ବିଜେପି ଶାସିତ ରାଜ୍ୟ ଗୁଜୁରାଟ ।

ଏହି ନିୟମକୁ ଦେଶବ୍ୟାପୀ ଲାଗୁ କରିବାର ଆବଶ୍ୟକତା ନେଇ ମଧ୍ୟ ସମୟକ୍ରମେ ଦାବି ଉଠିଛି । କେନ୍ଦ୍ର ସରକାର ମଧ୍ୟ ସଂସଦରେ ୟୁନିଫର୍ମ ସିଭିଲ କୋର୍ଡ ନିୟମ ଲାଗୁ ନେଇ ବିଲ ଆଣିପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି । ଏହି ସଂହିତା ଲାଗୁ ହେଲେ ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ଦେଶର ସମସ୍ତ ନାଗରିକଙ୍କ ବିବାହ, ଛାଡପତ୍ର ଓ ପୈତୃକ ସମ୍ପତ୍ତିର ଆବଣ୍ଟନ ଓ ସନ୍ତାନ ଜନ୍ମ କରିବା କ୍ଷେତ୍ରରେ ଏକକ ନିୟମର ପ୍ରବଧାନ ରହିବ । ଏହାକୁ ଅଲ ଇଣ୍ଡିଆ ମୁସଲିମ ପର୍ସୋନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ବିରୋଧ କରିଆସୁଛି । ତେବେ କେନ୍ଦ୍ର ସରକାର ଏହି ନିୟମ ଲାଗୁ କରିବା ପୂର୍ବରୁ ବିଜେପି ଶାସିତ ରାଜ୍ୟମାନେ ଏହାର କାର୍ଯ୍ୟକାରୀତା ନେଇ ତତ୍ପରତା ପ୍ରକାଶ କରିବା ଆରମ୍ଭ କଲେଣି । ପ୍ରଥମ ଉତ୍ତରାଖଣ୍ଡ ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିବା ପରେ ଏବେ ଅନ୍ୟତମ ବିଜେପି ଶାସିତ ରାଜ୍ୟ ଗୁଜୁରାଟ ମଧ୍ୟ ଏହି ଧାରାରେ ନିଜକୁ ସାମିଲ କରିଛି ।