ମନ୍ତ୍ରୀଙ୍କ ପୁଲିସ୍ ଏସକର୍ଟ ଗାଡ଼ି ଧକ୍କାରେ ୨ ଛାତ୍ର ଗୁରୁତର

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋତମା ନିକଟରେ ଜାତୀୟ ରାଜପଥ ୩୫୩ ଉପରେ ପୁଲିସ ଏସକର୍ଟ ଗାଡ଼ି ଧକ୍କାରେ ୨ଜଣ କଲେଜ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଆହତଦ୍ୱୟ ହେଲେ ନ୍ୟାସନାଲ କଲେଜର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ଜିତୁ ଦାସ ଓ ଯୋଗେଶ୍ୱ ପୋଡ଼ । ଉଭୟ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ରିପୋର୍ଟ ମୁତାବିକ, ଶନିବାର ପୂର୍ବାହ୍ନରେ ଜୋଙ୍କ ଥାନା ଖରିଆରରୋଡ଼ ସହର ପିଏଚଡିପଡ଼ାର ଜିତୁ ଓ ଯୋଗେଶ ଏକ ବାଇକରେ ରାଜପଥରେ ସିଲଦାସ୍ଥିତ ନ୍ୟାସନାଲ କଲେଜକୁ ଯାଉଥିଲେ । ଅନ୍ୟପଟେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପୁଲିସ ଏସକର୍ଟ ଗାଡ଼ି ନୂଆପଡ଼ାରୁ ଖରିଆରରୋଡ଼ସ୍ଥିତ ମନ୍ତ୍ରୀଙ୍କ ବାସଭବନକୁ ଯାଉଥିଲା । ଏହି ସମୟରେ ଗୋତମା ଗାଁ ନିକଟରେ ପୁଲିସ ଗାଡ଼ି ରାଜପଥ ଉପରେ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୨ଜଣ କଲେଜ ଛାତ୍ର ଗୁରୁତର ଆହତ ହୋଇଥିଲେ । ହେଲେ ପୁଲିସ କର୍ମଚାରୀମାନେ ଉଭୟ ଗୁରୁତର ଛାତ୍ରଙ୍କୁ ଉଦ୍ଧାର ନକରିବାରୁ କିଛି ସମୟ ଧରି ସେମାନେ ଦୁର୍ଘଟଣାସ୍ଥଳରେ ପଡ଼ି ରହିଥିଲେ । ପରେ ପୁଲିସ ପହଞ୍ଚି ଉଭୟ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଏବେ ଉଭୟ ଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଡାକ୍ତର ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତର କରିଛନ୍ତି । ହେଲେ ପରିବାର ଲୋକେ ରାୟପୁର ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେବାକୁ ଜିଦ ଧରିଥିବା ଜଣାପଡ଼ିଛି । ଫଳରେ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖା ଦେଇଛି ।