ଖପରାଖୋଲ ପୁଲିସ ଦ୍ବାରା ୩୨ ଦାଦନ ଶ୍ରମିକ ଉଦ୍ଧାର, ୨ ସର୍ଦ୍ଦାରଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼,ଏନ୍ଏନ୍ଏସ୍: ଚଳିତ ବର୍ଷ ଦାଦନ ଋତୁ ଆରମ୍ଭ ହେବା ପୂର୍ବରୁ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ବିଭିନ୍ନ ଥାନାରେ ମିଶନ ଉଦ୍ଧାର ମାଧ୍ୟମରେ ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପୁଲିସ ଓ ସ୍ବେଚ୍ଛାସେବୀ ତରଫରୁ ସଚେତନ କରୁଥିଲେ ମଧ୍ୟ ସର୍ଦାର ବୋଲ ମାନୁନାହାନ୍ତି ଖୁଲମଖୁଲା ବେଆଇନ ଭାବରେ ବାହାର ରାଜ୍ୟକୁ ଦାଦନ ଚାଲାଣ କରୁଥିବା ବେଳେ ଆଜି ଖପ୍ରାଖୋଲ ପୁଲିସ ବିଶେଷ ସୂତ୍ରରୁ ଖବରପାଇ ବୁଢିବାହାଲରୁ ଏକ ବୋଲେରୋ ଗାଡ଼ିରେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଉଥିବା ସମୟରେ ଖପ୍ରାଖୋଲ ପୁଲିସ ଗମ୍ଭାରୀ ଛକ ନିକଟରେ ଗାଡିକୁ ଅଟକାଇଥିଲେ। ଆବଶ୍ୟକ କାଗଜପତ୍ର ନଥିବାରୁ ଥାନାକୁ ଆଣିଥିଲେ। ୧୧ ଜଣ ଦାଦନ ଶ୍ରମିକଙ୍କୁ ନିଜ ଗାଁକୁ ପଠାଇଦେଇ ସର୍ଦ୍ଦାର ଟଙ୍କଧର ପଟେଇକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ସେହିପରି ବରଗଡ଼ ଜିଲ୍ଲାର ବୁଡେନ ଥାନା ଅନ୍ତର୍ଗତ ରାଇବାହାଦୁର ଗାଁର ୨୧ ଜଣ ଦାଦନ ଶ୍ରମିକ ଏକ ଘରୋଇ ବସରେ କର୍ଲ୍ଲାଫାଟକୁ ଯାଉଥିବା ବେଳେ ଖପ୍ରାଖୋଲ ପୁଲିସ ଖବରପାଇ ବସରୁ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା ଆବଶ୍ୟକ କାଗଜ ପତ୍ର ନଥିବାରୁ ଥାନାକୁ ଆଣି ସର୍ଦାର ଦୟାନନ୍ଦ ସାହୁକୁ ଅଟକ ରଖି ପଚରାଉଚରା କରି ଉଦ୍ଧାର ଶ୍ରମିକମାନଙ୍କୁ ନିଜ ନିଜ ଗାଁ‘କୁ ପଠାଇଦେଇଛନ୍ତି । ଏବେ ଦେଖିବାକୁ ମିଳିଛି ପାଟଣାଗଡ଼ ଉପଖଣ୍ଡିୟ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି ଶତାଧିକ ଶ୍ରମିକ ଉଦ୍ଧାର କରିଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ସର୍ଦାର ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଶ୍ରମ ବିଭାଗ ଜାଣି ନଜାଣିଲା ଭଳି ରହୁଥିବା ବେଳେ ଶ୍ରମ ବିଭାଗର କାମ କରୁଛି ବଲାଙ୍ଗିର ପୁଲିସ।

କିନ୍ତୁ ଏ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମିକମାନଙ୍କୁ କାମ ଯୋଗାଇ ଦେଇଥିଲେ ମଧ୍ୟ ଠିକ ସମୟରେ ପାଉଣା ଦେବାରେ ଟାଲତୁଳ ଅବଲମ୍ଭନ ଅଭିଯୋଗ କରିଛନ୍ତି। ତେଣୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଖପ୍ରାଖୋଲ ପୋଲିସ ୨ ଜଣ ଦାଦନ ସର୍ଦାର ଙ୍କ ବିରୁଦ୍ଧରେ ଖପ୍ରାଖୋଲ ଥାନାରେ ଏକ ମକଦ୍ଦମା ରୁଜୁ କରି ଥାନା କେସ୍ ନଂ- ୧୭୨/୨୨ରେ ଭାରତୀୟ ପିଙ୍ଗଲ କୋର୍ଡର ୩୭୪, ୩୭୦, ୪୨୦, ୧୨୦ବି/୨୫ ଇଣ୍ଟରଷ୍ଟେଟ ଦାଦନ ଧାରାରେ ଗିରଫ କରି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାର ସେକେଣ୍ଡ ଅଫିସର ଗୋପୀ ନାଥ ମହାକୁଡ଼ ସୂଚନା ଦେଇଛନ୍ତି।