ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ନୁଆଁଭୂଇଁ ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ବାଇକ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଟାଇଁସର ଗ୍ରାମର ଲଳିତ ପ୍ରଧାନ । ମିଳିଥିବା ରିପୋର୍ଟ ମୁତାବକ, ଲଳିତ ନୁଆଁଭୂଇଁ ଗ୍ରାମଦେଇ ଚାଲି ଚାଲି ଯାଉଥିବାବେଳେ ଗୋଟିଏ ବାଇକରେ ୩ଜଣ ଫୁଟବଲ ଖେଳାଳି କଣ୍ଢଲ ଗ୍ରାମରୁ ଏକ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଫେରୁଥିଲେ । ଏହି ସମୟରେ ଫୁଟବଲ ଖେଳାଳି ଲଳିତଙ୍କୁ ପଛ ପଟୁ ଧକ୍କା ଦେବାରୁ ସମସ୍ତେ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରିଥିଲେ ମଧ୍ୟ ଡାକ୍ତର ଲଳିତଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଖେଳାଳିଙ୍କ ମଧ୍ୟରୁ ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା ଗ୍ରାମର କ୍ଷମାସାଗର ତାଣ୍ଡିଆ ଗୁରୁତର ହୋଇଥିବାବେଳେ ଅନ୍ୟ ୨ ଖେଳାଳି କେଶବ ପ୍ରଧାନ ଓ ରମେଶ ପ୍ରଧାନ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।