ପାଟଣାଗଡ଼,ଏନ୍ଏନ୍ଏସ୍: ମାନସିକ ରୋଗୀଙ୍କ ପାଇଁ ଔଷଧ ଅପେକ୍ଷା ଆଶ୍ୱାସନାର ଅଧିକ ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି । ଆଜି ସ୍ଥାନୀୟ ତାଲୁକ ଆଇନ ସେବା ସମିତି ପକ୍ଷରୁ ପାଳିତ ହୋଇଥିବା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଅଦାଲତ ପରିସରରେ ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ଶ୍ୱେତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଲୋଚନା ହୋଇଥିଲା । ଏଥିରେ ଭେଷଜ ବିଶେଷଜ୍ଞ ଡାକ୍ତର ହେମନ୍ତ କୁମାର ମେହେର, ଉପଖଣ୍ଡୀୟ ପୁଲିସ ଅଧିକାରୀ ଜ୍ୟୋର୍ତିମୟ ଭୁକ୍ତା, ବରିଷ୍ଠ ଆଇନଜୀବୀ ଆଶିଷ କୁମାର ଚନ୍ଦନ, ଶ୍ରୀମତ୍ ପାଣିଗ୍ରାହୀ ଓ ଉପଖଣ୍ଡ ନ୍ୟାୟିକ ମାଜିଷ୍ଟ୍ରେଟ ଲୋପାମୁଦ୍ରା ପ୍ରକାଶ ପ୍ରମୁଖ ଉପସ୍ଥିତ ରହି ନିଜ ମତାମତ ଦେଇଥିଲେ । ଶ୍ରୀ ଭୁକ୍ତା ଉପଖଣ୍ଡରେ ମାନସିକ ରୋଗୀଙ୍କ ସଂଖ୍ୟା ବଢୁଥିବା ଦର୍ଶାଇ ଏହାର କାରଣ ଏବଂ ନିରାକରଣ ଉପରେ ନିଜସ୍ୱ ମତ ଉପସ୍ଥାପନା କରିଥିଲେ । ଅଧିବକ୍ତାମାନେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଇନ କାନୁନରେ ଆହୁରି ତର୍ଜମା କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବରିଷ୍ଠ ଆଇନଜୀବୀ ଭକ୍ତରାମ ବାଗ ସଭା କାର୍ଯ୍ୟକୁ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲା ନ୍ୟାୟାଧିଶ ଶ୍ୱେତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।