ପଞ୍ଚତତ୍ତ୍ୱରେ ବିଲୀନ ହେଲେ ନେତାଜୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ପଞ୍ଚତତ୍ତ୍ୱରେ ବିଲୀନ ହୋଇଛନ୍ତି । ମୁଲାୟମଙ୍କ ବଡ଼ ପୁଅ ଅଖିଳେଶ ଯାଦବ ମୁଖାଗ୍ନି ଦେଇଛନ୍ତି । ମୁଲାୟମଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ବାସଭବନ ସେଫଇର ମେଳା ଗ୍ରାଉଣ୍ଡରେ ହୋଇଛି । ପ୍ରଥମ ପତ୍ନୀଙ୍କ ସ୍ମାରକର ଠିକ୍ ପାଖରେ ମୁଲାୟମଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ଯୋଗଗୁରୁ ରାମଦେବ ଉପସ୍ଥିତ ଥିଲେ । ଏହାପୂର୍ବରୁ ଶେଷ ଦର୍ଶନ ପାଇଁ ତାଙ୍କ ପ୍ରାର୍ଥୀବ ଶରୀରକୁ ଗ୍ରାଉଣ୍ଡରେ ରଖାଯାଇଥିଲା । ଶେଷ ଦର୍ଶନରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ସମାଜବାଦୀ ପାର୍ଟିର ପଦାଧିକାରୀ ସାମିଲ ଥିଲେ ।

ସୂଚନାଯୋଗ୍ୟ, ଗତକାଲି ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ମୁଲାୟମ ସିଂହ ଯାଦବ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କ ୮୨ ବର୍ଷ ବୟସ ହୋଇଥିଲା । ମୁଲାୟମଙ୍କ ପ୍ରାର୍ଥୀବ ଶରୀର ଗତକାଲି ସେଫଇ ନିଆଯାଇଥିଲା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଫଇ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।