ବଲାଙ୍ଗିର,ଏନ୍ଏନ୍ଏସ୍: ଅକ୍ଟୋବର ମାସ ନିମନ୍ତେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ, ବଲାଙ୍ଗିର ଉପ-ଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବିଡିଓ, ତହସିଲଦାର ଓ ସିଡିପିଓ ମାନେ ଉପସ୍ଥିତ ଥିଲେ।
ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବିଭିନ୍ନ ସମସ୍ୟା ମୂଳକ ମୋଟ ୭୭ଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା। ତନମଧ୍ୟରୁ ୭୪ଟି ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଠ ୩ଟି ସାମୁହିକ ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହିସବୁ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣୀ କରିଥିଲେ। ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଯୋଜନା ଜରିଆରେ ଜଣଙ୍କୁ ଅବିବାହିତ ଭତ୍ତା ମଞ୍ଜୁର କରାଯାଇ ମଞ୍ଜୁରୀପତ୍ର ଦିଆଯାଇଥିଲା। ସେହିପରି ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଛେଲଖାଇ, ରୋଥର ଅମର ସିଂ କୁମ୍ଭାରଙ୍କୁ ୫ ହଜାର ଓ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ ଖୁଜେନପାଲିର ବସନ୍ତ ବାଗଙ୍କୁ ୨ ହଜାର ଟଙ୍କାର ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା।