ଖପ୍ରାଖୋଲରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ତରଫରୁ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି । ଏହି ଅବସରରେ ମୋଟର ସାଇକେଲ ଶୋଭାଯାତ୍ରା ସହ ପଥପ୍ରାନ୍ତ ସଭା ମଧ୍ୟ ଆୟୋଜିତ ହୋଇଥିବା ଜଣାପଡ଼ିଛି । ଖପ୍ରାଖୋଲ ବନ ବିଭାଗ କାର୍ଯ୍ୟାଳୟରେ ହରିଶଙ୍କର ରେଞ୍ଜ ଅଧିକାରୀ ଗିରଧାରୀ ନାଗ ସବୁଜ ପତାକା ଦେଖାଇବା ପରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ବଡ଼ଗୁର୍ଜିଭଟା, ଘୁନସର, ପୁଟକେଲଚୁଆଁ, ରେଙ୍ଗାଲି, ଖୁରିପାଣି, ସାପମୁଣ୍ଡ, ତେଲେନପାଲି, ବଲିଆବାହାଲ, ଜୁନାନୀବାହାଲ, ଡୁଡୁମଦର୍ହା, କନ୍ଦ୍ରାଭଟା, ନାନ୍ଦୁପଳା, ତୁର୍ଲା, ଝାକରପାଲି, ବୁରୋମାଲ, ଚାବରିପାଲି, ଭାନପୁର ଓ ବ୍ରାହ୍ମଣୀ ପ୍ରମୁଖ ଗାଁକୁ ଯାଇ ବନ୍ୟପ୍ରାଣୀ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ସହ ପଥପ୍ରାନ୍ତ ସଭା ମଧ୍ୟ ଆୟୋଜିତ ହୋଇଥିଲା । ରେଞ୍ଜ ଅଧିକାରୀ ଗିରଧାରୀ ନାଗଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ସଭା ଆୟୋଜିତ ହୋଇଯାଇଛି । ବୈଠକରେ ମୁଖ୍ୟଅତିଥି ଭାବେ ଖପ୍ରାଖୋଲ ବ୍ଲକ ପ୍ରାଣୀ ସମ୍ପଦ ଅଧିକାରୀ ଡା. ସୁଜିତ ଶତପଥୀ, ମୁଖ୍ୟବକ୍ତା ରୂପେ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସୁରକ୍ଷା ଏୱାର୍ଡି ଅଭୟ ତ୍ରିପାଠୀ ଓ ସମ୍ମାନିତ ଅତିଥିରୂପେ ପରିବେଶ କର୍ମୀ ଗୁପ୍ତେଶ୍ୱର କୁଅଁର, ହରିଶଙ୍କର ବନପାଳ ସନ୍ଧ୍ୟାରାଣୀ ସେଠ, ଧଣ୍ଡାମୁଣ୍ଡା ବନପାଳ ଅରବିନ୍ଦ ଧରୁଆ ଓ ରେଙ୍ଗାଲି ବନପାଳ ଘାସିରାମ ଦୀକ୍ଷିତ ପ୍ରମୁଖ ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଆଲୋକପାତ କରି ନିରୀହ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ମହେନ୍ଦ୍ର କାଳ ସାଏ, ମିଥୁନ ମିର୍ଦ୍ଧା, ସଞ୍ଜୀବ ପ୍ରଧାନ, ପିତାମ୍ବର ମାଝୀ, ରାଜେନ୍ଦ୍ର ଧରୁଆ, ବିଶ୍ୱଜିତ ପ୍ରଧାନ, ଅଶୋକ ବାଗ ଓ ଜ୍ୟୋତି ରଞ୍ଜନ ପଣ୍ଡାଙ୍କ ସମେତ ବନ ସୁରକ୍ଷା ସମିତି ସଦସ୍ୟ, ପରିବେଶ ପ୍ରେମୀ ଓ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ ।