ଦେଓଗାଁ ଓ କୁରୁଆଝରରେ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଦେଓଗାଁ ସଦର ପଞ୍ଚାୟତର କଛାରପାଲି ସାହୁପଡ଼ାର ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ହେଉଥିବା ଗଜଲକ୍ଷ୍ମୀ ପୂଜା ପାଇଁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋନଗଡ଼ ନଦୀରୁ କଳସରେ ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ ହୋଇଥିଲା । ଥନ ସୁନ୍ଦର ବାରିକ ଓ ତାଙ୍କ ଧର୍ମପତ୍ନୀ ଗୁଳାପୀ ବାରିକ କର୍ତ୍ତା ଦାୟିତ୍ୱ ତୁଲାଇ ଥିବାବେଳେ ପୂଜକ ଭାବେ ପଣ୍ଡିତ ବାଳକୃଷ୍ଣ କର ପୂଜାକାର୍ଯ୍ୟ ସମ୍ପାଦନ କରିଛନ୍ତି । ପୂଜା ପରିଚାଳନା କମିଟି ସଭାପତି ଦାୟିତ୍ୱରେ ସତ୍ୟବାନ ସାହୁ, ଉପସଭାପତି ଆଶିଷ ବାରିକ, ସମ୍ପାଦକ ଶେଷଦେବ ମେର୍ଲ୍ଲୀ, କୋଷାଧ୍ୟକ୍ଷ ସୀମାନଶୁ ସାହୁ ଓ ରୁଦ୍ର ପ୍ରସାଦ ମହାକୁଡ଼ ଓ ସହସମ୍ପାଦକ ସ୍ୱାଧୀନ ବସ୍ତିଆ ରହିଛନ୍ତି । ଚଳିତ ବର୍ଷ ପୂଜାରେ କଛାରପାଲିର ରାମଳିଲା ନାଟକ ‘ସୀତା ଚୋରୀ’ ହେବାକୁ ଥିବାବେଳେ ସୋମବାର ଛତିଶଗଡ଼ ଗଠିଆପାଲିର ସଂକୀର୍ତ୍ତନ ଗୁରୁ ପ୍ରଦୀପ ସାହୁ, ପଞ୍ଚଧାରା ତିଳକ ଦାସ, ଗୁନିମୁଣ୍ଡା କିଶୋର ଗଡ଼ତ୍ୟା, ତୋରା ଜୟନ୍ତ ନନ୍ଦ ଓ ବଡ଼ଗାଁର ରାଜୁ ପ୍ରଧାନଙ୍କୁ ନେଇ ସଂକୀର୍ତ୍ତନ ଧାରା ଅନୁଷ୍ଠିତ ହେବ । ସେହିପରି ମଙ୍ଗଳବାର କଣ୍ଟାବାଞ୍ଜିର ଏସ.ଡି ମେଲୋଡ଼ି ଗ୍ରୁପ ସଙ୍ଗୀତ ପରିବେଷଣ କରିବେ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ବଡ଼ବନ୍ଧ ପଞ୍ଚାୟତର କୁରୁଆଝର ଗାଁରେ ମଧ୍ୟ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ । ପ୍ରହରୀରେ କର୍ତ୍ତା ଭାବେ ଜନତା ମହଲିଙ୍ଗ ଓ ତାଙ୍କ ଧର୍ମପତ୍ନୀ ଝରଣା ମହାଳିଙ୍ଗ ଦାୟିତ୍ୱ ତୁଲାଇବେ । ଗଜଲକ୍ଷ୍ମୀ ପୂଜା ପାଇଁ ସୁରେଶ ଭୋଇ ଓ ତାଙ୍କ ପତ୍ନୀ ରଶ୍ମିତା ଭୋଇ ଦାୟିତ୍ୱରେ ଥିବାବେଳେ ପଣ୍ଡିତ ବିରଞ୍ଚି ମିଶ୍ର ଓ ଗୌତମ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ଜଣାପଡ଼ିଛି ।